କେନ୍ଦ୍ରାପଡ଼ା: ପାରିବାରିକ କଳହକୁ ନେଇ ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ୧୫ରୁ ଅଧିକ ଯୁବକ ନିର୍ମମ ଭାବେ ମାଡ଼ ମାରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବକ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ତେବେ ଯୁବକ ଜଣକ ନିଜ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଖବର ପାଇବା ପରେ, ପ୍ରାୟ ୧୦ଟି ବାଇକରେ ୧୫ରୁ ଅଧିକ ଯୁବକ ଖାରନାଶି ଗାଁରେ ପହଞ୍ଚିଥିଲେ ।
ଆକ୍ରମଣକାରୀମାନେ ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ଗାଁ ଦାଣ୍ଡରେ ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ । ଏହାପରେ ସର୍ବସମ୍ମୁଖରେ ତାଙ୍କୁ ଗୋଇଠା, ବିଧା ଓ ବାଡ଼ିରେ ନିସ୍ତୁକ ମାଡ଼ ମରାଯାଇଥିଲା । ଉପସ୍ଥିତ ଲୋକେ ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ଅଟକାଇବାକୁ ସାହସ କରିନଥିଲେ ।
ଘଟଣା ସମ୍ପର୍କରେ ଖବର ପାଇ ଜମ୍ବୁ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି । ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ, ଆକ୍ରମଣରେ ସାମିଲ ଥିବା ଯୁବକମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ।
ଆଇନକୁ ହାତକୁ ନେଇ ଏଭଳି ବର୍ବର କାଣ୍ଡ ଭିଆଇବା ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି । ପୋଲିସ ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।




