କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ସହିତ ୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବାଂଲାଦେଶ ସୀମାରେ ବାଡ଼ ନିର୍ମାଣ ପାଇଁ ୪୫ ଦିନ ମଧ୍ୟରେ ବିଏସଏଫ୍‌କୁ ଜମି ଯୋଗାଇବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ଶାନ୍ତିପୂର୍ଣ୍ଣ ଓ ସଫଳ ଭାବେ ନିର୍ବାଚନ କରାଇଥିବାରୁ ସେ ଭାରତୀୟ ନିର୍ବାଚନ କମିସନ ଓ ରାଜ୍ୟର ଭୋଟରମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି। ସେ କହିଛନ୍ତି, ନିର୍ବାଚନ ସମୟରେ କମିସନଙ୍କ କାର୍ଯ୍ୟ ପ୍ରଶଂସନୀୟ ଥିଲା।

କ୍ୟାବିନେଟ ବୈଠକରେ ବିଜେପିର ୩୨୧ ଜଣ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା, ଯେଉଁମାନେ ଦଳ ପାଇଁ ଜୀବନ ବଳିଦାନ ଦେଇଥିବା ଦାବି କରାଯାଇଛି। ଶୁଭେନ୍ଦୁ କହିଛନ୍ତି, ସେମାନଙ୍କ ପରିବାରକୁ ନ୍ୟାୟ ମିଳିବ ଏବଂ ଏହି ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ।

ସୀମା ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ବାଂଲାଦେଶ ସୀମାରେ ବାଡ଼ ନିର୍ମାଣ ପାଇଁ ବିଏସଏଫ୍‌କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛି। ୪୫ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବା ଲକ୍ଷ୍ୟ ରହିଛି।

ନିର୍ବାଚନ ପ୍ରଚାର ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟରେ ଏବେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତ ଯୋଜନା ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରାଯିବ।

ଏହାସହିତ ପୂର୍ବତନ ସରକାର ଅଟକାଇଥିବା କେନ୍ଦ୍ରୀୟ ତାଲିମ ଓ ଅମଲା ନିଯୁକ୍ତି ପ୍ରକ୍ରିୟାକୁ ପୁଣି ଆରମ୍ଭ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ପୂରାପୂରି ଲାଗୁ ହୋଇନଥିବା ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)କୁ ମଧ୍ୟ ସୋମବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏବେଠାରୁ ସମସ୍ତ ନୂଆ ମାମଲା ଏହି ଆଇନ ଅନୁଯାୟୀ ରଜିଷ୍ଟ୍ରି କରାଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୧୫ ପରେ ରାଜ୍ୟରେ ବଡ଼ ନିଯୁକ୍ତି ହୋଇନଥିବାରୁ ଖୁବଶୀଘ୍ର ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ।