ଗୁଆହାଟୀ: ଆସାମ ରାଜନୀତିରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ହିମନ୍ତ ବିଶ୍ୱଶର୍ମା ଲଗାତାର ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ୧୨୬ ଆସନରୁ ୧୦୨ଟି ଆସନ ଜିତି ଐତିହାସିକ ବିଜୟ ହାସଲ କରିଥିଲା। ଏହା ସହିତ ରାଜ୍ୟରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଠିତ ହୋଇଛି।

ଗୁଆହାଟୀର ଖାନାପାରା ଅଞ୍ଚଳରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ହିମନ୍ତ ବିଶ୍ୱଶର୍ମା ଏବଂ ତାଙ୍କ ନୂତନ ମନ୍ତ୍ରିମଣ୍ଡଳକୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଏନଡିଏର ଅନେକ ଶୀର୍ଷ ନେତା ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ପରେ ରାଜ୍ୟରେ ବିଜେପିର ଲଗାତାର ତୃତୀୟ କାର୍ଯ୍ୟକାଳ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ବିଜେପିର ଅଜନ୍ତା ନିଯୋଗୀ ଓ ରାମେଶ୍ୱର ତେଲିଙ୍କ ସହ ଏଜିପି ମୁଖ୍ୟ ଅତୁଲ ବୋରା ଏବଂ ବିପିଏଫ୍‌ର ଚରଣ ବୋରୋ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବତନ ମନ୍ତ୍ରୀ ରଞ୍ଜିତ କୁମାର ଦାସଙ୍କୁ ବିଧାନସଭା ବାଚସ୍ପତି ପଦ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଛି।

ନିର୍ବାଚନୀ ବିଜୟ ପରେ ହିମନ୍ତ ବିଶ୍ୱଶର୍ମା କହିଥିଲେ ଯେ, ତାଙ୍କର ପ୍ରଥମ କାର୍ଯ୍ୟକାଳ କେବଳ ‘ଟ୍ରେଲର’ ଥିଲା ଏବଂ ଏବେ ଆସାମ ବିକାଶର ପୂର୍ଣ୍ଣ ଚିତ୍ର ଦେଖିବ। ରାଜ୍ୟରେ ଅଧିକ ଗତିଶୀଳ ଶାସନ ଓ ନୂଆ ନିଷ୍ପତ୍ତି ନିଆଯିବ ବୋଲି ସେ ସଙ୍କେତ ଦେଇଛନ୍ତି।

୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି ୮୨ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ସହଯୋଗୀ ଦଳ ଆସାମ ଗଣ ପରିଷଦ (ଏଜିପି) ଓ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌) ୧୦ଟି ଲେଖାଏଁ ଆସନ ଜିତିଥିବାରୁ ଏନଡିଏର ମୋଟ ଆସନ ସଂଖ୍ୟା ୧୦୨ରେ ପହଞ୍ଚିଛି।

ହିମନ୍ତ ବିଶ୍ୱଶର୍ମା ନିଜର ରାଜନୈତିକ ଜୀବନ ଛାତ୍ର ନେତା ଭାବେ ଆରମ୍ଭ କରିଥିଲେ। ୨୦୦୧ରୁ ୨୦୧୫ ପର୍ଯ୍ୟନ୍ତ ସେ ତରୁଣ ଗୋଗୋଇଙ୍କ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରେ ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୨୧ରେ ବିଜେପିର ବିଜୟ ପରେ ସେ ପ୍ରଥମ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ପୁଣିଥରେ ରାଜ୍ୟର ଶାସନଭାର ତାଙ୍କ ହାତକୁ ଯାଇଛି।