ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ପ୍ରଶଂସା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ, ପାଲଟା ଧନ୍ୟବାଦ ଜଣାଇଲେ କଳାକାର
ଭୁବନେଶ୍ୱର: ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବୁଧବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାଙ୍କର ପ୍ରଶଂସା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏକ ବାଲୁକା କଳାକୁ ମୁଖ୍ୟମନ୍ତ୍ରୀ ବିଜୟ ସର୍ବସାଧାରଣରେ ପ୍ରଶଂସା କରିଥିଲେ। ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ‘ତାମିଲଗା ଭେଟ୍ରି କାଜଗାମ’ (TVK) ଦଳର ଚମତ୍କାର ପ୍ରଦର୍ଶନ ପରେ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବିଶାଳ ବାଲୁକା କଳା ନିର୍ମିତ କରିଥିଲେ। ଏହି କଳାକୃତିରେ ସେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏକ ସୁନ୍ଦର ପ୍ରତିକୃତି ସହ ‘Congratulations VIJAY Anna!’ ବୋଲି ଲେଖି ଶୁଭେଚ୍ଛା ଜଣାଇଥିଲେ।
ଏହି ବାଲୁକା କଳା ଦେଖିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି କହିଥିଲେ, “ଏହି ଅଦ୍ଭୁତ କଳାକୃତି ପାଇଁ ମାନ୍ୟବର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କ ପ୍ରତିଭା ସବୁବେଳେ ଆଶ୍ଚର୍ଯ୍ୟଚକିତ କରେ। ଏହି ସୁନ୍ଦର ସମ୍ମାନ ପାଇଁ ମୁଁ ଅଭିଭୂତ।” ମୁଖ୍ୟମନ୍ତ୍ରୀଙ୍କଠାରୁ ଏପରି ସୁନ୍ଦର ପ୍ରଶଂସା ପାଇ ସୁଦର୍ଶନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୟ ସାର୍। ଆପଣଙ୍କ ମୂଲ୍ୟବାନ ଶବ୍ଦ ମୋ ପାଇଁ ବହୁତ କିଛି। ଆପଣଙ୍କଠାରୁ ଏପରି ସ୍ୱୀକୃତି ପାଇ ମୁଁ ଗର୍ବିତ ଏବଂ ଉତ୍ସାହିତ।”
ସୋସିଆଲ ମିଡିଆରେ ଏହି ଦୁଇ ପ୍ରତିଭାଙ୍କ ମଧ୍ୟରେ ହୋଇଥିବା କଥୋପକଥନ ଏବେ ବେଶ୍ ଭାଇରାଲ୍ ହେଉଛି। ଓଡ଼ିଶା ଏବଂ ତାମିଲନାଡୁର ଅଗଣିତ ପ୍ରଶଂସକ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।




