କୋଲକାତା: ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ରାଜ୍ୟ ରାଜନୀତି ଓ ପ୍ରଶାସନିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟ ମହିଳା କମିଶନ (WBCW) ଅଧ୍ୟକ୍ଷା ପଦରୁ ଲୀନା ଗଙ୍ଗୋପାଧ୍ୟାୟ ଇସ୍ତଫା ଦେଇଛନ୍ତି। ବୁଧବାର ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଏହି ପଦବୀ ଛାଡ଼ିଛନ୍ତି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ୧୫ ବର୍ଷର ତୃଣମୂଳ କଂଗ୍ରେସ (TMC) ଶାସନର ଅନ୍ତ ଘଟିଛି। ବିଜେପି ଏଠାରେ ସରକାର ଗଠନ କରିବା ପରେ ଲୀନା ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ଜୁଲାଇ ମାସରେ ସେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ ଏବଂ ଚଳିତ ବର୍ଷ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା।
ଟଲିଉଡର ଜଣେ ଜଣାଶୁଣା ଲେଖିକା, ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଭାବେ ପରିଚିତ ଲୀନା ଗଙ୍ଗୋପାଧ୍ୟାୟ ଗତ କିଛି ସମୟ ଧରି ବିବାଦ ଘେରରେ ଥିଲେ। ବିଶେଷ କରି ଓଡ଼ିଶାର ତାଳସାରି ବେଳାଭୂମିରେ ବଙ୍ଗୀୟ ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀଙ୍କ ମୃତ୍ୟୁ ଘଟଣାକୁ ନେଇ ସେ ସମାଲୋଚନାର ଶିକାର ହୋଇଥିଲେ।
କ’ଣ ଥିଲା ଘଟଣା?
ଗତ ମାର୍ଚ୍ଚ ୨୯ରେ ଲୀନାଙ୍କ ପ୍ରଯୋଜନା ସଂସ୍ଥାର ଏକ ସିରିଏଲ୍ ଶୁଟିଂ ପାଇଁ ରାହୁଲ ଓଡ଼ିଶାର ତାଳସାରି ଯାଇଥିଲେ। ସେଠାରେ ସମୁଦ୍ରରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ରାହୁଲଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କା ସରକାର, ଲୀନା ଓ ପ୍ରଯୋଜନା ସଂସ୍ଥା ବିରୋଧରେ ଅବହେଳା ଅଭିଯୋଗ ଆଣି ମାମଲା ଦାୟର କରିଥିଲେ। ଲୀନା ଦାବି କରିଥିଲେ ଯେ ଶୁଟିଂ ସମୟରେ ପାଣିରେ କୌଣସି ଦୃଶ୍ୟ ନଥିଲା, କିନ୍ତୁ ପରେ ଶୁଟିଂ ସମୟରେ ହିଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ଟଲିଉଡର ଅନେକ କଳାକାର ଓ କର୍ମଚାରୀ ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ସେତେବେଳେ ତଦନ୍ତରେ କୌଣସି ‘ପ୍ରଭାବ’ ନ ପଡ଼ିବା ପାଇଁ ସେ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ପରେ ଦେଇନଥିଲେ।
ଟିଏମସି ସହ ଘନିଷ୍ଠ ସମ୍ପର୍କ ରଖୁଥିବା ଲୀନା ଗଙ୍ଗୋପାଧ୍ୟାୟଙ୍କ ଇସ୍ତଫା ପରେ ଏବେ ରାଜ୍ୟ ମହିଳା କମିଶନର ପରବର୍ତ୍ତୀ ମୁଖ୍ୟ କିଏ ହେବେ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପି ସରକାର ଆସିବା ପରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନୂତନ ନିଯୁକ୍ତି ହେବା ସମ୍ଭାବନା ରହିଛି।




