ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ଆର୍ଥିକ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶବାସୀଙ୍କୁ ‘ଚ୍ୟାଲେଞ୍ଜିଂ ସମୟ’ ପାଇଁ ପ୍ରସ୍ତୁତ ରହିବାକୁ ଅପିଲ୍ କରିବା ପରେ, ପ୍ରଧାନମନ୍ତ୍ରୀ ଏବେ ନିଜେ ଉଦାହରଣ ସାଜିଛନ୍ତି। ସରକାରୀ ଖର୍ଚ୍ଚ କାଟ୍ କରିବା ଏବଂ ଇନ୍ଧନ ସଞ୍ଚୟ କରିବା ପାଇଁ ସେ ନିଜର ସୁରକ୍ଷା କାରକେଡ୍ (Convoy) ର ଆକାର ହ୍ରାସ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଲିଟ୍ ଫୋର୍ସ ଏସପିଜି (SPG) କୁ ନିଜ ଗାଡ଼ି ସଂଖ୍ୟା ସର୍ବନିମ୍ନ ସ୍ତରକୁ କମାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଶପଥ ଗ୍ରହଣ ଉତ୍ସବ ଏବଂ ଗୁଜରାଟର ସୋମନାଥ ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ରେ ପୂର୍ବ ଅପେକ୍ଷା ବହୁତ କମ୍ ଗାଡ଼ି ଦେଖିବାକୁ ମିଳିଥିଲା। ସୁରକ୍ଷା ପ୍ରୋଟୋକଲକୁ ବଜାୟ ରଖିବା ସହ କେବଳ ଅତ୍ୟାବଶ୍ୟକ ଗାଡ଼ିଗୁଡ଼ିକୁ ସାମିଲ କରାଯାଉଛି। ପ୍ରଧାନମନ୍ତ୍ରୀ ନିଜ କାରକେଡ୍‌ରେ ଇଲେକ୍ଟ୍ରିକ୍ ଯାନ (EV) ସାମିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ସପ୍ତାହରେ ହାଇଦ୍ରାବାଦ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପଶ୍ଚିମ ଏସିଆ ସଂକଟରୁ ସୃଷ୍ଟି ହେବାକୁ ଥିବା ଆର୍ଥିକ ପ୍ରଭାବ ବିଷୟରେ ସତର୍କ କରାଇଥିଲେ। ସେ ଦେଶବାସୀଙ୍କୁ ପେଟ୍ରୋଲ-ଡିଜେଲ ଉପରେ ନିର୍ଭରଶୀଳତା କମାଇବା ପାଇଁ ପବ୍ଲିକ୍ ଟ୍ରାନ୍ସପୋର୍ଟ, ମେଟ୍ରୋ ଏବଂ କାରପୁଲିଂ ବ୍ୟବହାର କରିବା, ଅଧିକରୁ ଅଧିକ ଇଲେକ୍ଟ୍ରିକ୍ ଯାନ ଆପଣାଇବା,
ଅନାବଶ୍ୟକ ବିଦେଶ ଗସ୍ତ ବଦଳରେ ଦେଶ ମଧ୍ୟରେ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେବା ଏବଂ ସୁନା କ୍ରୟ କମାଇବା ପାଇଁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗଗୁଡ଼ିକ ମଧ୍ୟ ସମାନ ମିତବ୍ୟୟିତା ନୀତି ଆପଣାଇବାକୁ ଯାଉଛନ୍ତି। ଆଗାମୀ ଦିନରେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବଡ଼ ଧରଣର ଉତ୍ସବ ପାଳନରୁ ବିରତ ରହିବା ସହ ସରକାରୀ ଖର୍ଚ୍ଚ କାଟ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ‘ଆଦର୍ଶ’ ଆଚରଣ ସାଧାରଣ ଜନତାଙ୍କ ମଧ୍ୟରେ ସକରାତ୍ମକ ବାର୍ତ୍ତା ପହଞ୍ଚାଇବ ବୋଲି ଆଶା କରାଯାଉଛି।