ନୂଆଦିଲ୍ଲୀ: ସୁନା ଓ ରୁପା ଉପରେ କେନ୍ଦ୍ର ସରକାର ଆମଦାନି ଶୁଳ୍କକୁ ଦୁଇଗୁଣାରୁ ଅଧିକ ବୃଦ୍ଧି କରିବା ପରେ ଦେଶରେ ଏହି ଦୁଇ ମୂଲ୍ୟବାନ ଧାତୁର ଦରରେ ହଠାତ୍‌ ବଡ଼ ଧରଣର ବୃଦ୍ଧି ଦେଖାଦେଇଛି। ଗୋଟିଏ ଦିନରେ ସୁନା ଦାମ୍‌ ପ୍ରାୟ ୧୪ ହଜାର ଟଙ୍କା ଏବଂ ରୁପା ଦାମ୍‌ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଛି।

ସରକାର ପୂର୍ବରୁ ୬ ପ୍ରତିଶତ ଥିବା ସୁନା ଓ ରୁପା ଉପରେ ଆମଦାନି ଶୁଳ୍କକୁ ବଢ଼ାଇ ୧୫ ପ୍ରତିଶତ କରିଛନ୍ତି। ଏହା ପରେ ବୁଧବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୨,୭୫୦ ଟଙ୍କା ବୃଦ୍ଧି ପାଇ ୧,୫୩,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୩,୯୧୦ ଟଙ୍କା ବଢ଼ି ୧,୬୭,୮୯୦ ଟଙ୍କା ହୋଇଛି। ସେହିପରି ରୁପା କେଜି ପିଛା ୩୦ ହଜାର ଟଙ୍କା ବୃଦ୍ଧି ପାଇ ୩,୩୦,୦୦୦ ଟଙ୍କାରେ ପହଞ୍ଚିଛି।

ଦିଲ୍ଲୀ ସରାଫା ବଜାରରେ ମଧ୍ୟ ୧୦ ଗ୍ରାମ ସୁନା ଦାମ୍‌ ୯୦୦୦ ଟଙ୍କା ବଢ଼ି ୧.୬୦ ଲକ୍ଷ ଟଙ୍କା ହୋଇଥିବା ବେଳେ ରୁପା କେଜି ପିଛା ୧୮ ହଜାର ଟଙ୍କା ବୃଦ୍ଧି ପାଇ ୨.୮୭ ଲକ୍ଷ ଟଙ୍କାରେ ପହଞ୍ଚିଛି।

କେନ୍ଦ୍ର ସରକାର ସୁନା ଆମଦାନି ଉପରେ ୧୦ ପ୍ରତିଶତ ମୂଳ ଆମଦାନି ଶୁଳ୍କ ସହ ୫ ପ୍ରତିଶତ କୃଷି ଭିତ୍ତିଭୂମି ଓ ବିକାଶ ଶୁଳ୍କ ଲଗାଇଛନ୍ତି। ଏହାର ପରିଣାମରେ ମୋଟ୍‌ ପ୍ରଭାବୀ ଶୁଳ୍କ ୧୫ ପ୍ରତିଶତକୁ ବଢ଼ିଛି। ଗତ ୨୦୨୪ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶୁଳ୍କକୁ ୧୫ ପ୍ରତିଶତରୁ କମାଇ ୬ ପ୍ରତିଶତ କରିଥିଲେ। ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଜନିତ ଆର୍ଥିକ ଚାପ ଓ ବିଦେଶୀ ମୁଦ୍ରା ସଞ୍ଚୟ ଲକ୍ଷ୍ୟରେ ପୁଣି ଥରେ ଶୁଳ୍କ ବଢ଼ାଯାଇଛି।

ପ୍ରତିବର୍ଷ ଭାରତ ସୁନା ଆମଦାନି ପାଇଁ ପ୍ରାୟ ୭୨୦୦ କୋଟି ଡଲାର ଖର୍ଚ୍ଚ କରୁଛି। ଏହି ଖର୍ଚ୍ଚ କମାଇବା ଏବଂ ଚଳନ୍ତୀ ଖାତା ନିଅଣ୍ଟକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ବର୍ଷକ ପର୍ଯ୍ୟନ୍ତ ସୁନା ନ କିଣିବାକୁ ଆହ୍ୱାନ ଦେଇଛନ୍ତି।

ତେବେ ବଜାର ବିଶେଷଜ୍ଞମାନଙ୍କ ମତରେ, ଆମଦାନି ଶୁଳ୍କ ବୃଦ୍ଧି ହେବାରୁ ସୁନା ଆମଦାନି କମିପାରେ, କିନ୍ତୁ ଚୋରାଚାଲାଣ ବଢ଼ିବାର ଆଶଙ୍କା ମଧ୍ୟ ରହିଛି। ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି ଯେ, ପୂର୍ବରୁ ସୁନା ଦାମ୍‌ ଉଚ୍ଚା ଥିବା ବେଳେ ଏଭଳି ଶୁଳ୍କ ବୃଦ୍ଧି ଚାହିଦାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ।