ଭୁବନେଶ୍ୱର/ସମ୍ବଲପୁର: ରାଜ୍ୟ ଓ ରାଜ୍ୟ ବାହାରେ ବ୍ୟାପକ ନିଶା କାରବାର ଚଳାଇଆସୁଥିବା କୁଖ୍ୟାତ ଆନ୍ତଃରାଜ୍ୟ ନିଶା ବେପାରୀ ସତୀଶ ପ୍ରଧାନ ଶେଷରେ ଆଇନର ଜାଲରେ ପଡ଼ିଛି। ଦୀର୍ଘଦିନ ଧରି ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଆସୁଥିବା ସତୀଶକୁ ଏକ ସ୍ୱତନ୍ତ୍ର ଅଭିଯାନରେ ଭୁବନେଶ୍ୱର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ସମ୍ବଲପୁରର ଧନୁପାଲି ଅଞ୍ଚଳରୁ ଗିରଫ କରିଛି।
ସତୀଶ ବିରୋଧରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଓ ଏନ୍ସିବିରେ ୪ରୁ ଅଧିକ ନିଶା କାରବାର ମାମଲା ରହିଥିବା ବେଳେ କନ୍ଧମାଳ ସହ ବିଭିନ୍ନ ଜିଲ୍ଲାର ଥାନାଗୁଡ଼ିକରେ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଛି। ସେ ଦୀର୍ଘଦିନ ଧରି ରାଜ୍ୟ ପୁଲିସ ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଚକମା ଦେଇ ନିଜର ନିଶା ସାମ୍ରାଜ୍ୟ ଚଳାଇଆସୁଥିଲା।
ଏନ୍ସିବି ଟିମ୍ ସତୀଶ ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ସମ୍ବଲପୁର ଧନୁପାଲିରେ ଥିବା ତାଙ୍କର ଗଞ୍ଜେଇ ଗୋଦାମ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେଠାରୁ ୧ କ୍ବିଣ୍ଟାଲ୍ ଗଞ୍ଜେଇ ସହ ଚାଲାଣ କାର୍ଯ୍ୟରେ ବ୍ୟବହୃତ ଦୁଇଟି ଗାଡ଼ିକୁ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ସତୀଶ ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସଂଗ୍ରହ କରି ଗୋଦାମରେ ମହଜୁତ ରଖୁଥିଲା ଏବଂ ପରେ ସେଗୁଡ଼ିକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ନିଶା କାରବାରରୁ ସତୀଶ ବିପୁଳ ପରିମାଣର ଅର୍ଥ ଉପାର୍ଜନ କରିଥିଲା। ସେହି ଟଙ୍କାରେ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ଜମି କ୍ରୟ କରିଥିବା ସହ ବାଲିଗୁଡ଼ାରେ ଏକ ହୋଟେଲ ନିର୍ମାଣ କରିଛି। ତାଙ୍କର ଅନେକ ବେନାମୀ ସମ୍ପତ୍ତି ଥିବା ସନ୍ଦେହ କରାଯାଉଛି।
ଏନ୍ସିବି ପକ୍ଷରୁ କୁହାଯାଇଛି ଯେ, ସତୀଶଙ୍କ ସମସ୍ତ ସମ୍ପତ୍ତିର ଖୋଳତାଡ଼ କରାଯିବ ଏବଂ ନିୟମାନୁସାରେ ସେଗୁଡ଼ିକୁ ବାଜ୍ୟାପ୍ତ କରିବା ପାଇଁ ପଦକ୍ଷେପ ନିଆଯିବ।




