ତିରୁଅନନ୍ତପୁରମ: କେରଳ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୦ ଦିନ ପରେ, ଶେଷରେ କଂଗ୍ରେସ ଆଜି (ଗୁରୁବାର) ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାକୁ ଯାଉଛି। ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ହାଇକମାଣ୍ଡ ଏନେଇ ସଙ୍କେତ ଦେବା ପରେ ଦକ୍ଷିଣ ଭାରତର ଏହି ରାଜ୍ୟରେ ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟିବାକୁ ଯାଉଛି।ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସାଧାରଣ ସମ୍ପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆବଶ୍ୟକୀୟ ଆଲୋଚନା ଶେଷ ହୋଇଛି ଏବଂ ଗୁରୁବାର ନାମ ଘୋଷଣା କରାଯିବ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ତିନି ଜଣ ପ୍ରମୁଖ ନେତାଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଭି.ଡି. ସାଥୀସନ ବିରୋଧୀ ଦଳ ନେତା ଭାବେ ତାଙ୍କର ଦକ୍ଷ ପ୍ରଦର୍ଶନ ତାଙ୍କୁ ଜଣେ ଶକ୍ତିଶାଳୀ ଦାବିଦାର କରିଛି। ରମେଶ ଚେନ୍ନିଥାଲା ରାଜ୍ୟ ରାଜନୀତିରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ ସଂଗଠନ ଉପରେ ପକଡ଼ ତାଙ୍କୁ ରେସରେ ରଖିଛି। କେ.ସି. ବେଣୁଗୋପାଳ କଂଗ୍ରେସର ସଂଗଠନ ସମ୍ପାଦକ ବେଣୁଗୋପାଳଙ୍କ ନାମ ହଠାତ୍ ସାମ୍ନାକୁ ଆସିବା ପରେ କେରଳ ରାଜନୀତିର ସମୀକରଣ ବଦଳି ଯାଇଛି।

ଗତ ୧୦ ଦିନ ଧରି କେରଳରେ ରାଜନୈତିକ ବାତାବରଣ ବେଶ ସରଗରମ ରହିଛି। ବିଶେଷ କରି ଭି.ଡି. ସାଥୀସନଙ୍କ ଆଲୁଭା ସ୍ଥିତ ବାସଭବନ ଓ ରମେଶ ଚେନ୍ନିଥାଲାଙ୍କ ବାସଭବନ ବାହାରେ ସମର୍ଥକଙ୍କ ପ୍ରବଳ ଭିଡ଼ ଜମିଛି। ନିଜ ନିଜର ପ୍ରିୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ କର୍ମକର୍ତ୍ତାମାନେ ନାରାବାଜି କରୁଥିବା ଦେଖିବାକୁ ମିଳିଛି।ଅନ୍ୟପଟେ, କେ.ସି. ବେଣୁଗୋପାଳ ଦିଲ୍ଲୀରେ ରହିଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାସହ ବରିଷ୍ଠ ନେତା ଏ.କେ. ଆଣ୍ଟୋନିଙ୍କୁ କୋଡିକୁନ୍ନିଲ ସୁରେଶ ଭେଟିବା ପରେ ଶେଷ ମୁହୂର୍ତ୍ତରେ କିଛି ନୂଆ ମୋଡ଼ ଆସିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

୨୦୨୬ କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ UDF ମେଣ୍ଟ ୧୪୦ଟି ଆସନରୁ ୧୦୨ଟି ଆସନ ଜିତି ପିନାରାୟୀ ବିଜୟନଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାରକୁ କ୍ଷମତାରୁ ହଟାଇ ଏକ ବଡ଼ ବିଜୟ ହାସଲ କରିଛି। ଏବେ ସମସ୍ତଙ୍କ ନଜର କଂଗ୍ରେସ ହାଇକମାଣ୍ଡଙ୍କ ଉପରେ, କିଏ ହେବେ କେରଳର ୧୩ତମ ମୁଖ୍ୟମନ୍ତ୍ରୀ?