ପୁରୀ: ପବିତ୍ର ଜଳକ୍ରୀଡ଼ା ଏକାଦଶୀ ତିଥି ଅବସରରେ ପୁରୀ ଦୋଳମଣ୍ଡପ ସାହି, ଜେନାରୀଗଛ ଛକ ସ୍ଥିତ ମାଆ ରାମଚଣ୍ଡୀ ଠାକୁରାଣୀଙ୍କ ପୀଠରେ ମାଆଙ୍କ ଶୀତଳ ଜଳଶାୟୀ ନୀତି ବେଶ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଆଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ପରମ୍ପରା ଅନୁଯାୟୀ, ସକାଳୁ ମାଆଙ୍କ ଦ୍ୱାର ଫିଟିବା ପରେ ମଙ୍ଗଳଆଳତି ଓ ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଶଙ୍ଖୁଡ଼ି ଭୋଗ ଅର୍ପଣ କରାଯାଇଥିଲା। ଜଳଶାୟୀ ନୀତି ପାଇଁ ପ୍ରଥମେ ମାଆଙ୍କ ଆସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା। ଏହାପରେ ନିକଟସ୍ଥ ଏକ କୂଅରୁ ପବିତ୍ର ଜଳ ଅଣାଯାଇ ସେଥିରେ ଚନ୍ଦନ, ଅଗୁର, କର୍ପୂର, ଚୂଆ, କେଶର ଓ ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟ ମିଶ୍ରଣ କରାଯାଇ ମାଆଙ୍କ ମସ୍ତକରେ ଢଳା ଯାଇଥିଲା। ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ଓ ଶୀତଳତା ପ୍ରଦାନ ପାଇଁ ଏହି ଜଳଶାୟୀ ନୀତିର ବିଶେଷ ମହତ୍ତ୍ୱ ରହିଛି।

ଅପରାହ୍ନରେ ଆସ୍ଥାନରୁ ଜଳ ନିଷ୍କାସନ କରାଯିବା ପରେ ମାଆଙ୍କୁ ଅତି ମନୋରମ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା। ସନ୍ଧ୍ୟା ଆଳତି ପରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ମାଆଙ୍କ ପାଖରେ ଲାଗି କରାଯାଇଥିଲା ଏବଂ ପରେ ରାତ୍ର ପହୁଡ଼ ନୀତି ସମାପ୍ତ ହୋଇଥିଲା।

ମନ୍ଦିରର ପୂଜକ ପିନାକ ଦାଶ ଓ ସୋମନାଥ ଦାଶ ମାଆଙ୍କ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମାପନ କରିଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ମାଆଙ୍କ ଏହି ଦିବ୍ୟ ଦୁର୍ଲଭ ବେଶ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଦୋଳମଣ୍ଡପ ସାହି ଅଞ୍ଚଳରେ ଏହାକୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।