ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ଦାବି କରାଯାଉଥିବା ବେଳେ, ଅନ୍ୟପଟେ ଚଳନ୍ତା ଘରୋଇ ବସ୍ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ଦିଲ୍ଲୀ ପୁଲିସ୍ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବସ୍କୁ ଜବତ କରିଛି।
ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ପୀଡ଼ିତା ମହିଳା ଜଣକ ବସ୍ ଷ୍ଟାଣ୍ଡ ନିକଟରେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଥିଲେ। ସେହି ସମୟରେ ଏକ ଘରୋଇ ବସ୍ ସେଠାରେ ପହଞ୍ଚିବା ପରେ ମହିଳା ଜଣକ ଗାଡ଼ିକୁ ଅଟକାଇବା ପାଇଁ ହାତ ଦେଖାଇଥିଲେ। ବସ୍ର ଗତି କମିବା ମାତ୍ରେ ଡ୍ରାଇଭର ଓ କଣ୍ଡକ୍ଟର ମହିଳାଙ୍କୁ ସାହାଯ୍ୟ କରିବା ବଦଳରେ ଜୋରଜବରଦସ୍ତ ବସ୍ ଭିତରକୁ ଟାଣି ନେଇଥିଲେ।
ବସ୍ ଭିତରେ ଡ୍ରାଇଭର ଓ କଣ୍ଡକ୍ଟର ମିଶି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି କାଣ୍ଡ ଭିଆଇବା ପରେ ଅଭିଯୁକ୍ତମାନେ ମହିଳାଙ୍କୁ ଏକ ନିର୍ଜନ ସ୍ଥାନରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ନିର୍ଜନ ସ୍ଥାନରୁ ଉଦ୍ଧାର ହେବା ପରେ ପୀଡ଼ିତା ପୁଲିସକୁ ସୂଚନା ଦେଇଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ୍ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରିବା ପରେ ପୁଲିସ୍ ବସ୍ଟିକୁ ଚିହ୍ନଟ କରିବା ସହ ଅଭିଯୁକ୍ତ ଡ୍ରାଇଭର ଓ କଣ୍ଡକ୍ଟରକୁ କାବୁ କରିଛି।
ଏହି ଘଟଣା ପୁଣି ଥରେ ୨୦୧୨ର ‘ନିର୍ଭୟା’ କାଣ୍ଡର ଭୟଙ୍କର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି, ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।




