ତିରୁଅନନ୍ତପୁରମ: କେରଳରେ ଦୀର୍ଘ ୧୦ ଦିନର ସସପେନ୍ସ ପରେ ଶେଷରେ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଶେଷ ହୋଇଛି। କଂଗ୍ରେସର ବରିଷ୍ଠ ନେତା ଭି.ଡି. ସାଥୀସନ (V.D. Satheesan) କେରଳର ନୂତନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗୁରୁବାର ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ୨୦୨୬ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ (UDF) ର ଭବ୍ୟ ବିଜୟ ପରେ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

ଭି.ଡି. ସାଥୀସନ କେରଳର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ପାରାଭୁର (Paravur) ନିର୍ବାଚନ ମଣ୍ଡଳୀରୁ ଲଗାତାର ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ସେ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା କେ.ସି. ଭେନୁଗୋପାଳ ଏବଂ ରମେଶ ଚେନ୍ନିଥାଲାଙ୍କୁ ପଛରେ ପକାଇ ସାଥୀସନଙ୍କ ନାମରେ ମୋହର ବାଜିଛି।

୨୦୨୬ ନିର୍ବାଚନ ଫଳାଫଳ କେରଳ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଗତ ୧୦ ବର୍ଷ ଧରି ଜାରି ରହିଥିବା ବାମପନ୍ଥୀ (LDF) ଶାସନର ଅନ୍ତ ଘଟାଇ କଂଗ୍ରେସ ଏଠାରେ ସରକାର ଗଠନ କରିବାକୁ ଯାଉଛି। କଂଗ୍ରେସ ହାଇକମାଣ୍ଡ ଏବଂ କେପିସିସି (KPCC) ନେତାମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହେବା ପରେ ସାଥୀସନଙ୍କ ଅଭିଜ୍ଞତା ଏବଂ ଦକ୍ଷ ନେତୃତ୍ୱ ଉପରେ ଦଳ ଭରସା ପ୍ରକଟ କରିଛି।

ଜଣେ ଶାଣିତ ବକ୍ତା ଏବଂ ଦକ୍ଷ ରଣନୀତିକାର ଭାବେ ଭି.ଡି. ସାଥୀସନଙ୍କ ବେଶ୍ ନାଁ ରହିଛି। ବିରୋଧୀ ଦଳ ନେତା ଭାବେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ନେତୃତ୍ୱରେ କେରଳରେ କଂଗ୍ରେସ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।