ଭୁବନେଶ୍ୱର: ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ୍ ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ କାର୍ଯ୍ୟକ୍ରମ ପାଳନ କରାଯିବ। ତେବେ ପଶ୍ଚିମ ଏସିଆର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଲୋକସେବା ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବ୍ୟାପକ ଉତ୍ସବ ପାଳନ ବଦଳରେ ସରକାରଙ୍କ ଦୁଇ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅଧିକ ଗୁରୁତ୍ୱ ଦିଆଯିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉପରେ ଫୋକସ୍ ରହିବ ବୋଲି ସେ କହିଛନ୍ତି।
ବୈଠକରେ ନିଷ୍ପତ୍ତି ହୋଇଛି ଯେ, ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ ଥିମ୍କୁ ଆଧାର କରି କାର୍ଯ୍ୟକ୍ରମ ହେବ। “ଶକ୍ତି ଓଡିଶା”, “ସମୃଦ୍ଧ କୃଷି ଓଡିଶା”, “ସୁସ୍ଥ ଓଡିଶା”, “ନିର୍ମାଣ ଓଡିଶା”, “ଉତ୍କର୍ଷ ଓଡିଶା”, “ଜନଶକ୍ତି ଓଡିଶା” ଓ “କୌଶଳ ଓଡିଶା” ଭଳି ୭ଟି ଥିମ୍ ଉପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।
ସରକାରଙ୍କ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ମଧ୍ୟ ଏହି ଅବସରରେ ଲୋକଙ୍କ ସମ୍ମୁଖରେ ରଖାଯିବ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସରକାରଙ୍କ ସଫଳତାର ପ୍ରଚାର କରାଯିବା ସହ ବିଭିନ୍ନ ପୁସ୍ତିକା ଓ ଲିଫଲେଟ୍ ପ୍ରକାଶ କରାଯିବ।
ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀମାନଙ୍କୁ ନିଜ ନିଜ ବିଭାଗର ଦୁଇ ବର୍ଷର ସଫଳତା ଉପରେ ସାମ୍ବାଦିକ ସମ୍ମିଳନୀ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହା ମାଧ୍ୟମରେ ସରକାରଙ୍କ ଉନ୍ନୟନ ଆଭିମୁଖ୍ୟ ଓ ଲୋକକଲ୍ୟାଣମୂଳକ କାର୍ଯ୍ୟକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ରହିଛି।
ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।




