ଯାଜପୁର: ଭାରତର ଜରୁରୀକାଳୀନ ଇନ୍ଧନ ସୁରକ୍ଷାକୁ ମଜବୁତ କରିବା ପାଇଁ ଓଡ଼ିଶାର ଚଣ୍ଡୀଖୋଲଠାରେ ଏକ ବିଶାଳ ଭୂତଳ ଅଶୋଧିତ ତୈଳ ଭଣ୍ଡାର (Strategic Petroleum Reserve) ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ (UAE) ଗସ୍ତ ସମୟରେ ‘ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍’ ଏବଂ ‘ଆବୁଧାବି ନ୍ୟାସନାଲ ଓସିଲ୍ କମ୍ପାନୀ’ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି।
ଏହି ମେଗା ପ୍ରକଳ୍ପ ପାଇଁ ପ୍ରାୟ ୮,୭୪୩ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ଏହାର କ୍ଷମତା ୪୦ ଲକ୍ଷ ମେଟ୍ରିକ ଟନ୍ ରହିବ। ୨୦୧୮ରେ କେନ୍ଦ୍ର କ୍ୟାବିନେଟ୍ ଏହାକୁ ମଞ୍ଜୁରୀ ଦେଇଥିଲେ ସୁଦ୍ଧା ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ କାର୍ଯ୍ୟ ବିଳମ୍ବ ହୋଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ ୫,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ପେଟ୍ରୋଲିୟମ ବିଶେଷଜ୍ଞଙ୍କ ଅନୁଯାୟୀ, ଯୁଦ୍ଧ କିମ୍ବା ଆନ୍ତର୍ଜାତୀୟ ସଙ୍କଟ ସମୟରେ ତୈଳ ଆମଦାନୀ ବାଧାପ୍ରାପ୍ତ ହେଲେ, ଏହି ଭଣ୍ଡାର ଦେଶର ଇନ୍ଧନ ଆବଶ୍ୟକତାକୁ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମ୍ଭାଳି ପାରିବ। ପାରାଦୀପ ବନ୍ଦରର ଗଭୀର ସମୁଦ୍ର ସୁବିଧା ଏବଂ ରିଫାଇନାରୀ ନିକଟରେ ଥିବାରୁ ଏହି ପ୍ରକଳ୍ପ ପାଇଁ ଚଣ୍ଡୀଖୋଲକୁ ଚୟନ କରାଯାଇଛି।




