ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ ବିଲ୍ କ୍ଲିୟର ଏବଂ ସୁରକ୍ଷା ଜମା ଫେରସ୍ତ କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ୧.୩୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ) ଓ ତାଙ୍କ ସହଯୋଗୀ। ଅଭିଯୁକ୍ତ ଜେଇ ହେଲେ ନୟାଗଡ଼ ଭାପୁର ଆରଡବ୍ଲୁ ସେକ୍ସନର କେଶବ ସୁବୁଦ୍ଧି। ତାଙ୍କ ସହ ଆଶୁତୋଷ ବଳିଆରସିଂ ନାମକ ଜଣେ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ୨୦୨୧-୨୨ ମସିହାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ଅନ୍ତର୍ଗତ ହୋଇଥିବା ନିର୍ମାଣ ଓ ରକ୍ଷଣାବେକ୍ଷଣ କାମର ବିଲ୍ କ୍ଲିୟର କରିବା ସହ ସୁରକ୍ଷା ଜମା ଫେରସ୍ତ ପାଇଁ ଠିକାଦାରଙ୍କୁ ଜେଇ କେଶବ ସୁବୁଦ୍ଧି ଲାଞ୍ଚ ଦାବି କରୁଥିଲେ। ସରକାରୀ ନିୟମ ଅନୁସାରେ ରକ୍ଷଣାବେକ୍ଷଣ ଅବଧି ଶେଷ ହେବା ପରେ ଠିକାଦାରଙ୍କୁ ସୁରକ୍ଷା ଜମା ଓ ପ୍ରାରମ୍ଭିକ ସୁରକ୍ଷା ଜମା ଫେରସ୍ତ କରାଯାଏ।
ଠିକାଦାର ଗତ ୩ରୁ ୪ ମାସ ଧରି ମାପ ନେବା ଓ ବିଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରୁଥିଲେ। କିନ୍ତୁ ଅଭିଯୁକ୍ତ ଜେଇ ୧.୩୬ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଠିକାଦାର ଭିଜିଲାନ୍ସକୁ ଅଭିଯୋଗ କରିଥିଲେ।
ପୂର୍ବ ଯୋଜନା ଅନୁଯାୟୀ ଆଜି ଖଣ୍ଡପଡ଼ାସ୍ଥିତ ସରକାରୀ କ୍ୱାର୍ଟରକୁ ଠିକାଦାରଙ୍କୁ ଡାକିଥିଲେ ଜେଇ କେଶବ ସୁବୁଦ୍ଧି। ସେଠାରେ ଉପସ୍ଥିତ ଥିବା ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଲାଞ୍ଚ ଟଙ୍କା ଦେବାକୁ କହିଥିଲେ। ଟଙ୍କା ହସ୍ତାନ୍ତର ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲା।
ଅଭିଯୁକ୍ତଙ୍କଠାରୁ ସମ୍ପୂର୍ଣ୍ଣ ୧.୩୬ ଲକ୍ଷ ଟଙ୍କା ଦାଗି ନୋଟ୍ ଜବତ କରାଯାଇଛି। ଘଟଣା ପରେ ଜେଇ କେଶବ ସୁବୁଦ୍ଧିଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।




