ନୂଆଦିଲ୍ଲୀ:
ଦେଶରେ ଆର୍ଥିକ ସମସ୍ୟା ଓ ମୁଦ୍ରାସ୍ଫୀତି ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ Narendra Modi ଇଟାଲିରେ ‘ଟଫି’ ବାଣ୍ଟୁଥିବା କହି ବିରୋଧୀ ଦଳ ନେତା ଓ କଂଗ୍ରେସ ସାଂସଦ Rahul Gandhi ବୁଧବାର କେନ୍ଦ୍ର ସରକାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଟାଲି ଗସ୍ତ ସମୟରେ ସେ ଇଟାଲି ପ୍ରଧାନମନ୍ତ୍ରୀ Giorgia Meloniଙ୍କୁ ‘ମେଲୋଡି’ ଟଫି ଉପହାର ଦେଇଥିଲେ। ମୋଦୀ ଓ ମେଲୋନିଙ୍କ ନାମକୁ ଯୋଡ଼ି ସୋସିଆଲ ମିଡିଆରେ ‘ମେଲୋଡି’ ନେଇ ବିଭିନ୍ନ ମିମ୍ ଓ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ରାହୁଲ ଗାନ୍ଧୀ କଟାକ୍ଷ କରିଛନ୍ତି।
ରାହୁଲ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, “ଦେଶରେ ଆର୍ଥିକ ଝଡ଼ ଚାଲିଥିବା ବେଳେ ମୋଦୀ ଇଟାଲିରେ ଟଫି ବାଣ୍ଟୁଛନ୍ତି। କୃଷକ, ଯୁବକ, ମହିଳା, ଶ୍ରମିକ ଓ ଛୋଟ ବ୍ୟବସାୟୀ କଷ୍ଟରେ ଥିବା ବେଳେ ପ୍ରଧାନମନ୍ତ୍ରୀ ରିଲ୍ ତିଆରି କରୁଛନ୍ତି ଏବଂ ବିଜେପି ତାଳି ମାରୁଛି। ଏହା ନେତୃତ୍ୱ ନୁହେଁ, ନାଟକ।”
ଇଟାଲି ପ୍ରଧାନମନ୍ତ୍ରୀ ମେଲୋନି ସେୟାର କରିଥିବା ଏକ ଭିଡିଓରେ ମୋଦୀ ତାଙ୍କ ପାଇଁ ଉପହାର ନେଇଥିବା ଦେଖାଯାଇଥିଲା। ମେଲୋନି ମଧ୍ୟ ଏହି ଉପହାର ପାଇଁ ଧନ୍ୟବାଦ ଜଣାଇଥିଲେ। ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି।
ଏହାସହ ନିଜ ସଂସଦୀୟ କ୍ଷେତ୍ର ରାୟବରେଲିରେ ଆୟୋଜିତ ‘ବହୁଜନ ସ୍ୱାଭିମାନ ସଭା’ରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଇନ୍ଧନ ବ୍ୟବହାର କମାଇବା, ସୁନା କ୍ରୟ ସୀମିତ କରିବା ଓ ବିଦେଶ ଯାତ୍ରା ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆଗାମୀ ଦିନରେ ମୂଲ୍ୟବୃଦ୍ଧି ବଢ଼ିବାର ସଙ୍କେତ ଦେଉଛି।
“ଆଗାମୀ ମାସଗୁଡ଼ିକରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବଢ଼ିବ। ପେଟ୍ରୋଲ, ଡିଜେଲ, ଗ୍ୟାସ୍ ଓ ଖାଦ୍ୟ ସାମଗ୍ରୀ ସବୁର ଦର ବଢ଼ିବ,” ବୋଲି ରାହୁଲ କହିଛନ୍ତି।




