ବେଜିଂ:
ଚୀନ ପୁଣିଥରେ ନିଜର ଅତ୍ୟାଧୁନିକ ଇଞ୍ଜିନିୟରିଂ କ୍ଷମତାକୁ ବିଶ୍ୱ ସାମ୍ନାରେ ପ୍ରଦର୍ଶନ କରିଛି। ଦକ୍ଷିଣ-ପଶ୍ଚିମ ଚୀନର Chongqing ସହରରେ ନିର୍ମିତ ‘Chongqing East Railway Station’କୁ ବିଶ୍ୱର ସବୁଠାରୁ ବଡ଼ ରେଳ ଷ୍ଟେସନ ଭାବେ ଦେଖାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ବିଶାଳ ପ୍ରକଳ୍ପକୁ ଚୀନ ମାତ୍ର ୩୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିଦେଇଛି।
ଟେକ୍ନୋଲୋଜି ଜଗତର ଅଗ୍ରଣୀ ବ୍ୟକ୍ତିତ୍ୱ Elon Musk ନିକଟରେ ଚୀନ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ଷ୍ଟେସନର ଏକ ଭିଡିଓ ସେୟାର କରିଥିଲେ। ସାଧାରଣ ପରିବହନ ବ୍ୟବସ୍ଥାକୁ ନେଇ ସର୍ବଦା ସନ୍ଦେହ ପ୍ରକାଶ କରୁଥିବା ମସ୍କଙ୍କ ଏହି ପୋଷ୍ଟ ପରେ ସମଗ୍ର ବିଶ୍ୱରେ ଷ୍ଟେସନଟିକୁ ନେଇ ଚର୍ଚ୍ଚା ବଢ଼ିଛି।
ଚୀନ ସରକାରୀ ଗଣମାଧ୍ୟମ ଅନୁଯାୟୀ, ୧.୨୨ ମିଲିୟନ ବର୍ଗ ମିଟର ଅଞ୍ଚଳରେ ବିସ୍ତୃତ ଏହି ଷ୍ଟେସନ ନିର୍ମାଣରେ ଏଆଇ ଓ ୫ଜି ଟେକ୍ନୋଲୋଜି ସହିତ ଲେଜର-ଗାଇଡେଡ୍ ରୋବଟ୍ ବ୍ୟବହାର କରାଯାଇଥିଲା। କଠିନ ପାହାଡ଼ିଆ ଅଞ୍ଚଳ ଏବଂ ୪୦ ଡିଗ୍ରୀରୁ ଅଧିକ ଗ୍ରୀଷ୍ମ ତାପମାତ୍ରା ମଧ୍ୟରେ ଏହି ରୋବଟ୍ଗୁଡ଼ିକ ମଣିଷ ତୁଳନାରେ ତିନି ଗୁଣ ଦ୍ରୁତ ଗତିରେ କଂକ୍ରିଟ୍ କାମ ସମ୍ପନ୍ନ କରିଥିଲେ।
ଷ୍ଟେସନରେ ୧୫ଟି ପ୍ଲାଟଫର୍ମ ଓ ୨୯ଟି ଟ୍ରାକ୍ ରହିଥିବାବେଳେ ଏହା ୮ ମହଲା ବିଶିଷ୍ଟ ଏକ ମଲ୍ଟି-ମୋଡାଲ୍ ହବ୍ ଭାବେ କାମ କରିବ। ଏଠାରେ ହାଇ-ସ୍ପିଡ୍ ରେଲ୍, ମୋନୋରେଲ୍ ଓ ବସ୍ ସେବାକୁ ଏକତ୍ର ସଂଯୋଗ କରାଯାଇଛି। ବର୍ତ୍ତମାନ ଏହି ଷ୍ଟେସନ ମାଧ୍ୟମରେ ଚୋଙ୍ଗକିଙ୍ଗ୍ ସହର ଚୀନର ୧୪ଟି ପ୍ରମୁଖ ସହର ସହ ଯୋଡ଼ାଯାଇଛି। ଏଠାରୁ Beijing ଓ Shanghaiକୁ ମାତ୍ର ୬ ଘଣ୍ଟାରେ ପହଞ୍ଚିହେବ।
ନିର୍ମାଣ ସମୟରେ ୮୦୦ କିଲୋଗ୍ରାମ ଓଜନର କାଚ ପ୍ୟାନେଲ୍ ଲଗାଇବା ପାଇଁ ବିଶେଷ ଗ୍ଲାସ୍ ଇନଷ୍ଟଲେସନ ରୋବଟ୍ ବ୍ୟବହାର କରାଯାଇଥିଲା। ସେହିପରି ୨୪ ଘଣ୍ଟିଆ ସୁରକ୍ଷା ନିରୀକ୍ଷଣ ପାଇଁ ଅଲଗା ରୋବଟ୍ ନିଯୁକ୍ତ ହୋଇଥିଲେ। ଏହାର ଫଳରେ ଶ୍ରମିକ ଖର୍ଚ୍ଚ ପ୍ରାୟ ଅଧା କମିଥିବାବେଳେ କାର୍ଯ୍ୟଦକ୍ଷତା ତିନି ଗୁଣ ବଢ଼ିଥିଲା ଏବଂ ଦୁର୍ଘଟଣା ଆଶଙ୍କା ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା ଦାବି କରାଯାଇଛି।
ଚୀନର ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଦ୍ରୁତ ନିର୍ମାଣ କ୍ଷମତା ଏବେ ବିଶ୍ୱର ଧ୍ୟାନ ଆକର୍ଷଣ କରିଛି।




