ନ୍ୟୁୟର୍କ/ପୁଣେ: ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ‘କକରୋଚ୍ ଜନତା ପାର୍ଟି’ (CJP) ର ଏକ୍ସ (ଟ୍ୱିଟର) ଆକାଉଣ୍ଟକୁ ଆଇନଗତ କାରଣ ଦର୍ଶାଇ ବ୍ଲକ୍ କରିଦିଆଯାଇଛି। ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ ବେରୋଜଗାର ଯୁବକମାନଙ୍କୁ ‘କକରୋଚ୍’ କହିବା ପ୍ରତିବାଦରେ ରାଜନୈତିକ ରଣନୀତିକାର ଅଭିଜିତ ଦୀପକେ ଏହି ଅନଲାଇନ୍ କ୍ୟାମ୍ପେନ ଆରମ୍ଭ କରିଥିଲେ।
ଗଠନର ମାତ୍ର ୬ ଦିନ ମଧ୍ୟରେ ଏହି ପାର୍ଟିର ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୧.୪ କୋଟି ଅତିକ୍ରମ କରି ବିଜେପି (୮୭ ଲକ୍ଷ) ଏବଂ କଂଗ୍ରେସ (୧.୩୪ କୋଟି) କୁ ପଛରେ ପକାଇ ଦେଇଛି। ଏକ୍ସରେ ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ ଏହାର ୧.୯୩ ଲକ୍ଷ ଫଲୋଅର୍ସ ଥିଲେ। ଅବସର ପରେ ସିଜେଆଇଙ୍କୁ ରାଜ୍ୟସଭା ନ ପଠାଇବା ଏବଂ ଦଳବଦଳ କଲେ ୨୦ ବର୍ଷ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇବା ଭଳି ଦାବି ନେଇ ଏହି କ୍ୟାମ୍ପେନରେ ଏପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଯୁବକ ପଞ୍ଜୀକରଣ କରିସାରିଛନ୍ତି।
ପାର୍ଟିର ସଦସ୍ୟତା ପାଇଁ ରହିଛି ୪ଟି ଯୋଗ୍ୟତା:
୧. ବ୍ୟକ୍ତିଜଣକ ବେରୋଜଗାର (Unemployed) ହୋଇଥିବା ଆବଶ୍ୟକ। ୨. ଅଳସୁଆ ହୋଇଥିବା ଦରକାର (ଅର୍ଥାତ୍ ସେମିତି ହିଁ ପଡ଼ିରହିଥିବେ)। ୩. ସବୁବେଳେ ଅନଲାଇନ୍ ରହିବାର ନିଶା ଥିବ। ୪. ପ୍ରୋଫେସନାଲ୍ ଭାବେ ନିଜର ଆକ୍ରୋଶ ବା ଭଢ଼ାସ ବାହାର କରିବାର କ୍ଷମତା ଥିବ।
CJP ର ପ୍ରମୁଖ ଦାବିଗୁଡ଼ିକ:
ପାର୍ଟି ନିଜର ଏକ ସ୍ୱତନ୍ତ୍ର ୱେବସାଇଟ୍ ସହ ଇସ୍ତାହାର (Manifesto) ମଧ୍ୟ ଜାରି କରିଛି। ଏହାର ପ୍ରମୁଖ ଦାବିଗୁଡ଼ିକ ହେଲା- ମୁଖ୍ୟ ବିଚାରପତିଙ୍କୁ ଅବସର ପରେ ରାଜ୍ୟସଭାକୁ ନ ପଠାଇବା, ସଂସଦରେ ଆସନ ସଂଖ୍ୟା ନ ବଢ଼ାଇ ମହିଳାମାନଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରିବା ଏବଂ ଦଳ ବଦଳ କରୁଥିବା ସାଂସଦ ଓ ବିଧାୟକଙ୍କ ନିର୍ବାଚନ ଲଢ଼ିବା ଉପରେ ୨୦ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇବା।
କିଏ ଏହି ଅଭିଜିତ ଦୀପକେ?
ଏହି ଚର୍ଚ୍ଚିତ ଅଭିଯାନର ପ୍ରତିଷ୍ଠାତା ହେଉଛନ୍ତି ୩୦ ବର୍ଷୀୟ ଅଭିଜିତ ଦୀପକେ। ସେ ମହାରାଷ୍ଟ୍ରର ପୁଣେରୁ ସାମ୍ବାଦିକତାରେ ସ୍ନାତକ ଶେଷ କରିବା ପରେ ଆମେରିକାର ପ୍ରସିଦ୍ଧ ବୋଷ୍ଟନ ୟୁନିଭର୍ସିଟିରୁ ପବ୍ଲିକ ରିଲେସନ୍ସ (PR) ରେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି। ସେ ପେଶାରେ ଜଣେ ପଲିଟିକାଲ୍ କମ୍ୟୁନିକେସନ ଷ୍ଟ୍ରାଟେଜିଷ୍ଟ, ଯିଏକି ବିଭିନ୍ନ ରାଜନୈତିକ ଦଳ ପାଇଁ ଡିଜିଟାଲ୍ ରଣନୀତି ପ୍ରସ୍ତୁତ କରନ୍ତି।




