ଭୁବନେଶ୍ବର: ପଶ୍ଚିମ ଏସିଆର ଯୁଦ୍ଧଜନିତ ପରିସ୍ଥିତି ଓ ଦେଶରେ ବଢ଼ୁଥିବା ତେଲ ସଙ୍କଟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଶକ୍ତିକ୍ଷେତ୍ର ସହ ଜଡ଼ିତ ସଂସ୍ଥାଗୁଡ଼ିକରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ୬ ମାସ ପାଇଁ ସମସ୍ତ ପ୍ରକାର ଧର୍ମଘଟକୁ ନିଷିଦ୍ଧ ଘୋଷଣା କରିଛନ୍ତି।
ଗୃହ ବିଭାଗର ବିଶେଷ ଶାଖା ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, Odisha Essential Services Maintenance Act-୧୯୮୮ ବଳରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ବିଦ୍ୟୁତ୍ ସେବା ଓ ଶକ୍ତି ଯୋଗାଣକୁ ସୁଚାରୁ ରଖିବା ଉଦ୍ଦେଶ୍ୟରେ ଏହି କଟକଣା ଲାଗୁ କରାଯାଇଛି।
ନୂତନ ଆଦେଶ ଅନୁସାରେ GRIDCO, OPTCL, OHPC, OPGC, TPCODL, TPNODL, TPSODL ଏବଂ TPWODL ସହିତ ରାଜ୍ୟର ଅନ୍ୟାନ୍ୟ ଶକ୍ତି ଉତ୍ପାଦନ ଓ ବଣ୍ଟନ ସଂସ୍ଥାମାନେ ଏହି ନିଷେଧାଦେଶର ପରିସରରେ ଆସିଛନ୍ତି।
ଏହାର ଫଳରେ ଏହି ସଂସ୍ଥାଗୁଡ଼ିକର କର୍ମଚାରୀ, ଇଞ୍ଜିନିୟର ଓ ଅନ୍ୟ ସେବାକର୍ମୀମାନେ ଧର୍ମଘଟ କିମ୍ବା କାମ ବନ୍ଦ ଆନ୍ଦୋଳନ କରିପାରିବେ ନାହିଁ। ଏହାସହ ଅନଧିକୃତ ଭାବେ କାର୍ଯ୍ୟରୁ ଅନୁପସ୍ଥିତ ରହିବାକୁ ମଧ୍ୟ ଆଇନ ଅନୁଯାୟୀ ଧର୍ମଘଟ ଭାବେ ଗଣାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଶକ୍ତିକ୍ଷେତ୍ରରେ ସେବା ବିଘ୍ନ ରୋକିବା ଓ ସମ୍ଭାବ୍ୟ ଇନ୍ଧନ ସଙ୍କଟ ସମୟରେ ବିଦ୍ୟୁତ୍ ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।




