ଯାଜପୁର: ଏକ ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟବିଦାରକ ଘଟଣା କ୍ରମରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାନିକାପଡ଼ା ପଞ୍ଚାୟତର ମାନସୀପାଟଣା ଗାଁରେ ଏକ ହସଖୁସିର ପରିବାର ଛାରଖାର ହୋଇଯାଇଛି। ଗୋଟିଏ ରାତିରେ ପରିବାରର ଦୁଇ ଦୁଇ ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଛି। ପୁଅର ହୃଦ୍ଘାତରେ ମୃତ୍ୟୁ ଖବର ସହ୍ୟ କରିନପାରି ବୃଦ୍ଧ ବାପା ଜଣକ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।
ମୃତକମାନେ ହେଲେ ମଙ୍ଗଳପୁର ବଜାରରେ ଥିବା ‘ଗାୟତ୍ରୀ ଡିଜିଟାଲ ଷ୍ଟୁଡିଓ’ର ମାଲିକ ଷ୍ଟିମର ପଣ୍ଡା ଓରଫ ସିଲୁ ଏବଂ ତାଙ୍କ ବାପା ରସାନନ୍ଦ ପଣ୍ଡା। ଘଟଣାର ଆରମ୍ଭ ଶୁକ୍ରବାର ରାତିରେ ହୋଇଥିଲା। ଗାୟତ୍ରୀ ଡିଜିଟାଲ ଷ୍ଟୁଡିଓର ଜଣେ କର୍ମଚାରୀ ଭିକି କୌଣସି କାରଣରୁ ବିଷ ପିଇ ଦେଇଥିଲେ। ଏହା ଜାଣିବା ପରେ ଷ୍ଟୁଡିଓ ମାଲିକ ସିଲୁ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇ ଯାଇଥିଲେ। କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରିବା ସମୟରେ ସିଲୁ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ତାଙ୍କର ହୃଦ୍ଘାତ ହୋଇଥିଲା।
ସେଠାରୁ ସେ ନିଜ ଘରକୁ ଫେରି ଆସିଥିଲେ ମଧ୍ୟ ଛାତିର ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ମାତ୍ର ମେଡିକାଲରେ ଡାକ୍ତରମାନେ ତାଙ୍କର ଇସିଜି (ECG) କରିବା ପ୍ରକ୍ରିୟା ଆରମ୍ଭ କରୁଥିବା ବେଳେ ହିଁ ସିଲୁଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଏକମାତ୍ର ରୋଜଗାରିଆ ପୁଅର ହଠାତ୍ ମୃତ୍ୟୁ ଖବର ପାଇ ବୃଦ୍ଧ ବାପା ରସାନନ୍ଦ ପଣ୍ଡା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ପୁଅର ମୃତ୍ୟୁ ଶୋକକୁ ସେ ସହ୍ୟ କରିପାରିନଥିଲେ। ମାନସିକ ସନ୍ତୁଳନ ହରାଇ ସେ ଘର ଭିତରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଗୋଟିଏ ପଟେ ପୁଅର ମୃତଦେହ ଡାକ୍ତରଖାନାରେ ଥିବା ବେଳେ ଅପରପଟେ ବାପାର ଆତ୍ମହତ୍ୟା ଖବର ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ଅନ୍ୟପଟେ, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଷ୍ଟୁଡିଓ କର୍ମଚାରୀ ଭିକିଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଏବଂ ସେ ଜୀବନ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି।
ଏହି ଦୁଃଖଦ ଘଟଣା ପରେ ସମଗ୍ର ମଙ୍ଗଳପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।




