ଭୁବନେଶ୍ୱର/ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବଡ଼ଧରଣର ସେକ୍ସ ରାକେଟ୍ର ପର୍ଦ୍ଦାଫାଶ କରିଛି ପୋଲିସ। ବିନିକା ରୋଡ୍ରେ ଅବସ୍ଥିତ ଏକ ହୋଟେଲରେ ଚାଲିଥିବା ଏହି ବେଆଇନ କାର୍ଯ୍ୟକଳାପ ଉପରେ ଚଢ଼ାଉ କରି ପୋଲିସ ୫ ଜଣ ମହିଳାଙ୍କୁ ଉଦ୍ଧାର କରିବା ସହ ୭ ଜଣ ଗ୍ରାହକଙ୍କୁ ଅଟକ ରଖିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଉକ୍ତ ହୋଟେଲରେ ଦୀର୍ଘ ଦିନ ହେବ ଅସାମାଜିକ ତଥା ବେଆଇନ କାର୍ଯ୍ୟ ଚାଲିଥିବା ନେଇ ପୋଲିସକୁ ଏକ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଶନିବାର ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ଏକ ଅତର୍କିତ ଚଢ଼ାଉ କରାଯାଇଥିଲା।
ସେହି ସମୟରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ କାଟ୍ ହୋଇଥିବାରୁ, ଏହାର ସୁଯୋଗ ନେଇ ପୋଲିସ ଅତି ଗୋପନୀୟ ଭାବେ ହୋଟେଲ ଭିତରକୁ ପ୍ରବେଶ କରିଥିଲା। ଫଳରେ ସେଠାରେ ଥିବା ଲୋକେ ଖସିଯିବାକୁ କୌଣସି ସୁଯୋଗ ପାଇନଥିଲେ।ଚଢ଼ାଉ ସମୟରେ ହୋଟେଲର ବିଭିନ୍ନ ରୁମ୍ରୁ ୫ ଜଣ ମହିଳାଙ୍କୁ ଉଦ୍ଧାର କରାଯିବା ସହ ଅସଂଯତ ଅବସ୍ଥାରେ ଥିବା ୭ ଜଣ ଗ୍ରାହକଙ୍କୁ ପୋଲିସ କାବୁ କରିଥିଲା। ଏହା ସହିତ ଘଟଣାସ୍ଥଳରୁ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ଉଦ୍ଧାର ହୋଇଥିବା ସମସ୍ତ ମହିଳା ଏବଂ ଅଟକ ଗ୍ରାହକଙ୍କୁ ସୋନପୁର ଥାନାକୁ ଅଣାଯାଇ ବର୍ତ୍ତମାନ ପଚରାଉଚରା କରାଯାଉଛି। ଏହି ମହିଳାମାନେ ପ୍ରକୃତରେ କେଉଁ ଅଞ୍ଚଳର ଏବଂ କେତେ ଦିନ ହେବ ଏହି ବେଆଇନ ବ୍ୟବସାୟରେ ଜଡ଼ିତ ଅଛନ୍ତି, ସେ ନେଇ ପୋଲିସ ସେମାନଙ୍କର ବ୍ୟାକଗ୍ରାଉଣ୍ଡ ଯାଞ୍ଚ କରୁଛି। ଏହି ଦେହବ୍ୟାପାର ରାକେଟ୍ ପଛରେ ହୋଟେଲ ମାଲିକ କିମ୍ବା ଅନ୍ୟ କେଉଁ ମାଫିଆଙ୍କ ହାତ ରହିଛି, ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ଖୋଳତାଡ଼ ଜାରି ରଖିଛି।




