ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଓ ଆଖପାଖ ଅଞ୍ଚଳର ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖୁସିଖବର। କଳାହାଣ୍ଡିର ଉତ୍କେଲା ବିମାନବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ଏବେ ସପ୍ତାହର ସବୁଦିନ (୭ ଦିନ) ବିମାନ ସେବା ଉପଲବ୍ଧ ହେବ। କେବଳ ସେତିକି ନୁହେଁ, ପ୍ରତିଦିନ ଗୋଟିଏ ବଦଳରେ ଦୁଇ ଦୁଇଟି ବିମାନ ଯାତ୍ରୀଙ୍କ ପାଇଁ ଉଡ଼ାଣ ଭରିବ। ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ‘ଇଣ୍ଡିଆ ଏଆରୱାନ’ (IndiaOne Air) ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।ପୂର୍ବରୁ ଉତ୍କେଲାରୁ ଭୁବନେଶ୍ବରକୁ ସପ୍ତାହରେ ୬ ଦିନ ବିମାନ ଚଳାଚଳ କରୁଥିଲା। ମାତ୍ର ବର୍ତ୍ତମାନ ଏହାକୁ ସପ୍ତାହର ସବୁଦିନ ପାଇଁ ସମ୍ପ୍ରସାରିତ କରାଯାଇଥିବାରୁ ଯାତ୍ରୀମାନେ ନିରନ୍ତର ସେବା ପାଇପାରିବେ।

ଇଣ୍ଡିଆ ଏଆରୱାନ ପକ୍ଷରୁ ଜାରି ହୋଇଥିବା ନୂତନ ସମୟସୂଚୀ ଅନୁଯାୟୀ ପ୍ରତିଦିନ ନିମ୍ନମତେ ଦୁଇଟି ବିମାନ ଚଳାଚଳ କରିବ:

ପ୍ରଥମ ବିମାନ (ସକାଳ) ଭୁବନେଶ୍ୱର – ସକାଳ ୦୫:୫୦ ଉତ୍କେଲା – ସକାଳ ୦୭:୦୦ ଭୁବନେଶ୍ୱରରୁ ଉତ୍କେଲା

ଉତ୍କେଲା – ସକାଳ ୦୭:୧୫ ଭୁବନେଶ୍ୱର – ସକାଳ ୦୮:୧୫ | ଉତ୍କେଲାରୁ ଭୁବନେଶ୍ୱର

ଦ୍ୱିତୀୟ ବିମାନ (ମଧ୍ୟାହ୍ନ) ଭୁବନେଶ୍ୱର – ସକାଳ ୧୧:୨୦ ଉତ୍କେଲା – ଅପରାହ୍ନ ୧୨:୩୦ ଭୁବନେଶ୍ୱରରୁ ଉତ୍କେଲା

ଉତ୍କେଲା – ଅପରାହ୍ନ ୧୨:୪୫ ଭୁବନେଶ୍ୱର – ଅପରାହ୍ନ ୦୧:୫୫ ଉତ୍କେଲାରୁ ଭୁବନେଶ୍ୱର

ଟିକେଟ୍ ମୂଲ୍ୟ କେତେ?ଏହି ବିମାନ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ଟିକେଟ୍ ଉପଲବ୍ଧ କରାଯାଉଛି। ଜିଏସଟି (GST) ମିଶାଇ ସର୍ବମୋଟ ଟିକେଟ୍ ମୂଲ୍ୟ ୩,୨୮୭ ଟଙ୍କା ରଖାଯାଇଛି।

କଳାହାଣ୍ଡି ଭଳି ଏକ ଆଭ୍ୟନ୍ତରୀଣ ଜିଲ୍ଲାରୁ ରାଜଧାନୀକୁ ସପ୍ତାହର ସବୁଦିନ ଦୁଇଟି ଲେଖାଏଁ ବିମାନ ଉଡ଼ିବା ଫଳରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ବ୍ୟବସାୟ ଓ ସରକାରୀ କାର୍ଯ୍ୟରେ ଆସୁଥିବା ଲୋକେ ବିଶେଷ ଭାବେ ଉପକୃତ ହେବେ। ଏହା ଜିଲ୍ଲାର ଅର୍ଥନୈତିକ ଏବଂ ପର୍ଯ୍ୟଟନ ବିକାଶରେ ମଧ୍ୟ ସହାୟକ ହେବ।