ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି ପୂର୍ତ୍ତ ବିଭାଗ (PWD)। ରାଜ୍ୟରେ ଚାଲିଥିବା ସମସ୍ତ ବାହ୍ୟ ନିର୍ମାଣ କାର୍ଯ୍ୟ ଉପରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।

ପୂର୍ତ୍ତ ବିଭାଗର ଇଞ୍ଜିନିୟର-ଇନ-ଚିଫ୍ (EIC) ସମସ୍ତ ଜୋନର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ଏବଂ ନିର୍ବାହୀ ଇଞ୍ଜିନିୟରମାନଙ୍କୁ ଏହି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି।ସରକାରୀ ନିୟମ ସତ୍ତ୍ୱେ କେତେକ ସ୍ଥାନରେ ଶ୍ରମିକମାନେ ମଧ୍ୟାହ୍ନର ପ୍ରଖର ଖରାରେ କାମ କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସରକାରୀ ଚିଠି ଅନୁଯାୟୀ, ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କୌଣସି ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଇପାରିବ ନାହିଁ। ଠିକାଦାର ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଚେତାବନୀ ଦିଆଯାଇଛି।

ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହା ସହିତ କାର୍ଯ୍ୟସ୍ଥଳୀରେ ଶ୍ରମିକମାନଙ୍କ ପାଇଁ ପର୍ଯ୍ୟାପ୍ତ ବିଶ୍ରାମ ଗୃହ (ଛାଇ ସ୍ଥାନ), ପିଇବା ପାଣି ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇବାକୁ ପୂର୍ତ୍ତ ବିଭାଗ ବାଧ୍ୟତାମୂଳକ କରିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଫିଲ୍ଡ ଇଞ୍ଜିନିୟର ଏବଂ ପରିଦର୍ଶକମାନଙ୍କୁ ସତର୍କ ରହିବା ସହ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।

ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦° ସେଲସିୟସ ଉପରେ ରହୁଥିବାରୁ, ଏହି ନିଷ୍ପତ୍ତି ହଜାର ହଜାର ନିର୍ମାଣ ଓ ଦିନମଜୁରିଆ ଶ୍ରମିକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ।