ଭୁବନେଶ୍ୱର: ରାଜଧାନୀରେ ଏକ ବଡ଼ ଧରଣର ବ୍ୟାଙ୍କିଙ୍ଗ୍ ସ୍କାମର ପର୍ଦ୍ଦାଫାଶ ହୋଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ୬.୮୮ କୋଟି ଟଙ୍କାର ଋଣ ଜାଲିଆତି ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (EOW) ୩ ଜଣ ମହିଳା ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୈଶାଖୀ ସାହା, ଚାରୁବାଳା ଦଣ୍ଡସେନା ଏବଂ ସରିତା ପାଇକରାୟ। ସେମାନଙ୍କୁ କଟକର ଓପିଆଇଡି (OPID) କୋର୍ଟରେ ହାଜର କରାଯାଇଛି।

ତଦନ୍ତ ଅନୁଯାୟୀ, ଏହି ଅଧିକାରୀମାନେ ଦଲାଲ୍‌ ସ୍ମୃତି ରଞ୍ଜନ ମହାନ୍ତି (ଯିଏ ପୂର୍ବରୁ ଗିରଫ ହୋଇଛନ୍ତି) ସହ ମିଶି ଜାଲ୍ ସାଲାରୀ ସ୍ଲିପ୍, ନକଲି ନିଯୁକ୍ତି ପତ୍ର ଏବଂ ଜାଲ୍ KYC ଦଲିଲ୍ ଆଧାରରେ ଋଣ ମଞ୍ଜୁର କରୁଥିଲେ। ଟାଟା ଷ୍ଟିଲ୍, ବେଦାନ୍ତ ଏବଂ TPCODL ଭଳି ପ୍ରତିଷ୍ଠିତ କମ୍ପାନୀର ମିଛ ଚାକିରିଆ ସଜାଇ ଅନେକ ଲୋକଙ୍କ ନାମରେ ଋଣ ଉଠାଯାଇଥିଲା।

ମେ ୨୦୨୨ ରୁ ନଭେମ୍ବର ୨୦୨୩ ମଧ୍ୟରେ ଭୁବନେଶ୍ୱରର ରେଳ ବିହାର, ଫର୍ଚୁନ୍ ଟାୱାର, ପଟିଆ ଏବଂ ଦମନା ସ୍କୋୟାର ଶାଖାରୁ ପ୍ରାୟ ୧୩.୯୨ କୋଟି ଟଙ୍କାର ୨୮୨ଟି ‘ଏକ୍ସପ୍ରେସ୍ କ୍ରେଡିଟ୍’ ଋଣ ପାସ୍ କରାଯାଇଥିଲା। ପରବର୍ତ୍ତୀ ସମୟରେ ଋଣ ଶୋଧ ନହେବାରୁ ବ୍ୟାଙ୍କର ୬.୮୮ କୋଟି ଟଙ୍କା ବୁଡ଼ି ଯାଇଥିଲା ଓ ଆକାଉଣ୍ଟଗୁଡ଼ିକ NPA ହୋଇଯାଇଥିଲା। ବ୍ୟାଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ତିନି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ EOW ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି।