ଜୟପୁର (କୋରାପୁଟ): କୋରାପୁଟ ଜିଲ୍ଲା ଜୟପୁର ସହରର ଆର୍ଥିକ ମେରୁଦଣ୍ଡ ତଥା ଲାଇଫ୍ ଲାଇନ୍ କୁହାଯାଉଥିବା ‘ସେବା ପେପର ମିଲ୍’ (Sewa Paper Mill – BILT) କୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଆଜି ସହରରେ ଗର୍ଜିଛନ୍ତି ଶ୍ରମିକ ଓ ସ୍ଥାନୀୟ ଜନସାଧାରଣ । ‘ପେପର ମିଲ୍ ବଞ୍ଚାଅ ମିଳିତ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ସକାଳୁ କମିଟିର ସଦସ୍ୟ ଓ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ପ୍ରତିବାଦ କରାଯାଉଛି ।

ବନ୍ଦ ସଫଳ କରିବା ପାଇଁ ଆଜି ଜୟପୁର ସହରର ମେନ୍ ରୋଡ୍ ଏବଂ ଏମ.ଜି ରୋଡ୍ ସମେତ ସମସ୍ତ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ସୁରକ୍ଷା ଦୃଷ୍ଟିରୁ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି, ଯାହାଫଳରେ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଆନ୍ଦୋଳନକୁ ସ୍ଥାନୀୟ ବ୍ୟବସାୟୀ ସଂଘ, ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ ମଧ୍ୟ ସମର୍ଥନ ଜଣାଇଛନ୍ତି । ସହରରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପରିଚାଳନାଗତ ତ୍ରୁଟି ଯୋଗୁଁ ଗତ ୨୦୨४ ମସିହାରୁ ଏହି ପ୍ରସିଦ୍ଧ କାଗଜ କଳଟି ବନ୍ଦ ହୋଇ ପଡ଼ି ରହିଛି । ଦୀର୍ଘ ଦିନ ଧରି ମିଲ୍‌ଟି ବନ୍ଦ ରହିବା ଫଳରେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ପରିବାରଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବିପନ୍ନ ହୋଇପଡ଼ିଛି । ଶ୍ରମିକମାନେ ଦୀର୍ଘ ଦିନ ହେବ ଦରମା ନପାଇ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି । ଏହାସହ ସ୍ଥାନୀୟ ପରିବହନ ବ୍ୟବସାୟ ଏବଂ ଛୋଟ ମୋଟ ବ୍ୟବସାୟୀ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି ।

କ୍ରିୟାନୁଷ୍ଠାନ କମିଟିର ଅଭିଯୋଗ ଅନୁଯାୟୀ, କାରଖାନା ଖୋଲିବା ନେଇ ପୂର୍ବରୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏହି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଯଦି ତୁରନ୍ତ ଏହି ମିଲ୍‌କୁ ଚାଲୁ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରମିକ ସଂଘ ଚେତାବନୀ ଦେଇଛି ।