ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ପକ୍ଷରୁ ଗତକାଲି ଭୁବନେଶ୍ୱରରେ ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ନୀଟ୍ (NEET) ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ବିରୋଧ କରି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି। ଛାତ୍ର କଂଗ୍ରେସ ନେତା ବିଭୂତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସ ଭବନରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଏକ ମଶାଲ ଶୋଭାଯାତ୍ରା ବାହାର କରିଥିଲେ।
ମାତ୍ର ବନଦୁର୍ଗା ମନ୍ଦିର ନିକଟରେ ପୋଲିସ ଏହାକୁ ଅଟକାଇ ଦେବାରୁ ପ୍ରାୟ ଏକ ଘଣ୍ଟା ଧରି ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ଛାତ୍ର କଂଗ୍ରେସର ଅଭିଯୋଗ ଅନୁଯାୟୀ, ନୀଟ୍ ପରୀକ୍ଷା ବିଭ୍ରାଟ ଯୋଗୁଁ ଦେଶର ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯାଇଛି। ମୋଦୀ ସରକାରଙ୍କ ଗତ ୧୦ ବର୍ଷ ଶାସନ କାଳରେ ପ୍ରାୟ ୯୦ଟି ବଡ଼ ବଡ଼ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଛି, ଯାହାଦ୍ୱାରା କୋଟି କୋଟି ଆଶାୟୀ ପ୍ରଭାବିତ ହୋଇଛନ୍ତି।
ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣା ଘଟୁଥିଲେ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କୌଣସି ଦୃଢ଼ ପଦକ୍ଷେପ ନେଉନାହିଁ ବୋଲି ସେମାନେ କହିଛନ୍ତି।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ର ବିଶ୍ୱସନୀୟତା ଶେଷ ହୋଇଯାଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଦଳ ଦାବି କରିଛି। ଏଥିସହ ନୈତିକତା ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଏହି ଦୁର୍ନୀତି ତଦନ୍ତ ପରିସରଭୁକ୍ତ ହୁଅନ୍ତୁ ବୋଲି କଂଗ୍ରେସ କହିଛି।
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି।




