ବାଲେଶ୍ୱର: ଓଡ଼ିଶାରେ ବାଂଲାଦେଶୀ ବ୍ରାଉନ୍ ସୁଗାରର ବେଆଇନ କାରବାର ଏବେ ଚିନ୍ତାର ବିଷୟ ପାଲଟିଛି। ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ଚାଲାଣ ହେଉଥିବା ଏହି ମାରାତ୍ମକ ନିଶାଦ୍ରବ୍ୟ ରାଜ୍ୟର ଯୁବପିଢ଼ିଙ୍କୁ ନଷ୍ଟ କରିବାରେ ଲାଗିଛି। ମାଫିଆମାନେ ଜାତୀୟ ରାଜପଥ-୬୦, ରେଳପଥ ଏବଂ ଜଳପଥକୁ ବ୍ୟବହାର କରି ଏକ ସଂଗଠିତ ନେଟୱର୍କ ଜରିଆରେ ଏହି କାରବାର ଚଲାଉଛନ୍ତି।
ସୂଚନା ଅନୁଯାୟୀ, ବାଂଲାଦେଶରୁ ଏହି ଧଳାଜହର ପଶ୍ଚିମବଙ୍ଗର ‘ବ୍ଲାକ୍ ପଏଣ୍ଟ’ କୁହାଯାଉଥିବା ମାଲଦା ଓ ମୁର୍ଶିଦାବାଦକୁ ଆସିଥାଏ। ସେଠାରୁ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜଳେଶ୍ୱର ଅଞ୍ଚଳ ଦେଇ ଏହା ଓଡ଼ିଶାରେ ପ୍ରବେଶ କରୁଛି। ବର୍ତ୍ତମାନ ଜଳେଶ୍ୱର ଏହାର ମୁଖ୍ୟ ପ୍ରବେଶ ଦ୍ୱାର ସାଜିଥିବା ବେଳେ ବାଲେଶ୍ୱର ସହରର ଆରଡ଼ବଜାର ଏବଂ ସହଦେବଖୁଣ୍ଟା ଭଳି ଅଞ୍ଚଳ ବ୍ରାଉନ୍ ସୁଗାର କାରବାରର ପ୍ରମୁଖ କେନ୍ଦ୍ର ପାଲଟିଛି।
କିଛି ମତ୍ସ୍ୟଜୀବୀଙ୍କୁ ମଧ୍ୟସ୍ଥି ଭାବେ ବ୍ୟବହାର କରି ଜଳପଥରେ ମଧ୍ୟ କଳା କାରବାର ଚାଲିଛି।ବାଲେଶ୍ୱର ଜିଲ୍ଲାର ପ୍ରାୟ ୮୨ଟି ଗ୍ରାମ ପଶ୍ଚିମବଙ୍ଗର ୯୦ଟି ସୀମାନ୍ତ ଗ୍ରାମ ସହ ଜଡ଼ିତ। ଏହି ବାଟଗୁଡ଼ିକର ସୁଯୋଗ ନେଇ ଡିଲରମାନେ ସହଜରେ ପୋଲିସ ଆଖିରେ ଧୂଳି ଦେଉଛନ୍ତି। ପୂର୍ବରୁ ଗୋଟିଏ ନିଶା ପାଉଚ୍ର ଦାମ୍ ୧୦୦ ଟଙ୍କା ଥିବା ବେଳେ ଏବେ ତାହା ବଢ଼ି ୨୦୦ ରୁ ୩୦୦ ଟଙ୍କା ହୋଇଯାଇଛି।
ଜଳେଶ୍ୱରରେ ଅଧିକ କ୍ୱାଲିଟିର ବ୍ରାଉନ୍ ସୁଗାର ମିଳୁଥିବାରୁ ସେଠାରେ ଗ୍ରାହକ ଓ ଚାହିଦା ଉଭୟ ଅଧିକ ରହୁଛି। ଏହି ଆନ୍ତଃରାଜ୍ୟ ଓ ଆନ୍ତର୍ଜାତୀୟ ନିଶା କାରବାରକୁ ରୋକିବା ପୋଲିସ ଓ ଅବକାରୀ ବିଭାଗ ପାଇଁ ଏକ ବଡ଼ ଚିନ୍ତା’ର ବିଷୟ ପାଲଟିଛି।




