ନୂଆଦିଲ୍ଲୀ: ଆଗାମୀ ନିର୍ବାଚନୀ ରଣନୀତିକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଏକ ବଡ଼ ଧରଣର ସାଂଗଠନିକ ଅଦଳବଦଳ କରିଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ଗୁରୁବାର ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ତ୍ରିପୁରା ପାଇଁ ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଏହି ନୂତନ ନିଯୁକ୍ତିକୁ ଆନୁଷ୍ଠାନିକ ରୂପ ଦିଆଯାଇଛି।

ନୂଆ ନିଯୁକ୍ତି ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ହର୍ଷ ମଲହୋତ୍ରାଙ୍କୁ ଦିଲ୍ଲୀ ବିଜେପିର ନୂଆ ସଭାପତି ଦାୟିତ୍ୱ ଦିଆଯାଇଛି, ସେ ବୀରେନ୍ଦ୍ର ସଚ୍ଚଦେବାଙ୍କ ସ୍ଥାନ ନେବେ। ସେହିପରି ପଞ୍ଜାବରେ ବରିଷ୍ଠ ନେତା କେଭଲ ସିଂହ ଧିଲୋନଙ୍କୁ ସୁନୀଲ ଜାଖଡ଼ଙ୍କ ସ୍ଥାନରେ ରାଜ୍ୟ ମୁଖ୍ୟ କରାଯାଇଛି। ହରିୟାଣାରେ ମୋହନ ଲାଲ ବାଡୋଲିଙ୍କ ବଦଳରେ ଅର୍ଚ୍ଚନା ଗୁପ୍ତା ଏବଂ ତ୍ରିପୁରାରେ ରାଜୀବ ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନରେ ଅଭିଷେକ ଦେବରାୟଙ୍କୁ ନୂଆ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଛି।

ବର୍ନାଲାର ପୂର୍ବତନ ବିଧାୟକ ତଥା କଂଗ୍ରେସର ପୂର୍ବତନ ଟାଣୁଆ ନେତା କେଭଲ ସିଂହ ଧିଲୋନ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କର ଜଣେ ଅତି ନିକଟତର ସହଯୋଗୀ ଭାବେ ଜଣାଶୁଣା। ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଖିରେ ରଖି ଦଳ ପଞ୍ଜାବରେ ଜଣେ ଶିଖ୍ ଚେହେରାଙ୍କୁ ଆଗକୁ ଆଣିବା ପାଇଁ ଏହି ରଣନୀତି ଆପଣାଇଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟରେ ବିଜେପିର ସ୍ଥିତିକୁ ମଜବୁତ କରିବାରେ କେତେ ସହାୟକ ହେବ, ତାହା ଧିଲୋନଙ୍କ ଆଗାମୀ କାର୍ଯ୍ୟପନ୍ଥା ଉପରେ ନିର୍ଭର କରେ।