ଦୁବାଇ: ମଧ୍ୟପ୍ରାଚ୍ୟରେ ଚାଲିଥିବା ତିନି ମାସର ସଂଘର୍ଷ ପୁଣି ଥରେ ଭୟଙ୍କର ମୋଡ଼ ନେଇଛି। ଗୁରୁବାର ଭୋରୁ ଆମେରିକା ଓ ଇରାନ ପରସ୍ପରର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପରେ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ଚରମ ସୀମାକୁ ପହଞ୍ଚିଛି। ପ୍ରଥମେ ଆମେରିକା ଇରାନର ବନ୍ଦର ଅବ୍ବାସ ସହରର ବିମାନବନ୍ଦର, ଡ୍ରୋନ୍ ଷ୍ଟେସନ ଓ ଅନ୍ୟାନ୍ୟ ସାମରିକ ଘାଟିକୁ ଟାର୍ଗେଟ୍ କରି ବୋମାମାଡ଼ କରିଥିଲା। ଏହାର ଜବାବରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କୁଏତ୍ରେ ଥିବା ଆମେରିକାର ଏକ ବାୟୁସେନା ଘାଟି ଉପରେ ରକେଟ୍ ଓ ଡ୍ରୋନ୍ ଆକ୍ରମଣ କରିଛି।
ଗତ ଏପ୍ରିଲରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ପ୍ରାୟ ଭାଙ୍ଗିଯାଇଥିବା ବେଳେ ଏହି ନୂଆ ଆକ୍ରମଣ ହର୍ମୁଜ ପ୍ରଣାଳୀକୁ ପୁଣି ଏକ ସକ୍ରିୟ ଯୁଦ୍ଧକ୍ଷେତ୍ରରେ ପରିଣତ କରିଛି। ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ତୈଳ ପରିବହନ ମାର୍ଗ ହେଉଥିବା ଏହି ଅଞ୍ଚଳରେ ତଣାତଣି ବଢ଼ିବାରୁ ଆନ୍ତର୍ଜାତୀୟ ଶକ୍ତି ବଜାର ଓ କୂଟନୀତି ଉପରେ ଗଭୀର ପ୍ରଭାବ ପଡ଼ିଛି।
ଇରାନୀ ଗଣମାଧ୍ୟମ ଅନୁଯାୟୀ, ଆମେରିକୀୟ ସେନା ବନ୍ଦର ଅବ୍ବାସର କିଛି ରଣନୀତିକ ସାମରିକ ଠିକଣା ଉପରେ ଆକ୍ରମଣ କରିଥିଲା। ଏହା ପରେ ଆଇଆର୍ଜିସି କଡ଼ା ପ୍ରତିକ୍ରିୟା ଦେଇ ଆମେରିକାକୁ ଚେତାବନୀ ଦେଇଛି ଯେ, ଆଗକୁ ପୁଣି ଏଭଳି କାର୍ଯ୍ୟ ହେଲେ ଆହୁରି ଭୟଙ୍କର ପ୍ରତିଶୋଧ ନିଆଯିବ।
ଅନ୍ୟପକ୍ଷରେ ୱାଶିଂଟନ୍ରେ ଆମେରିକୀୟ ପ୍ରତିରକ୍ଷା ଅଧିକାରୀମାନେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସ୍ୱୀକାର କରିଛନ୍ତି। ଆମେରିକା ସେନା କହିଛି ଯେ, ସୁରକ୍ଷା ଓ ବାଣିଜ୍ୟିକ ଜଳପଥକୁ ସୁରକ୍ଷିତ ରଖିବା ପାଇଁ ଇରାନର ଚାରିଟି ଆତ୍ମଘାତୀ ଡ୍ରୋନ୍କୁ ଧ୍ୱଂସ କରାଯାଇଛି। ସେହିପରି ଏକ ଡ୍ରୋନ୍ ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ୍ ଓ କ୍ଷେପଣାସ୍ତ୍ର ଲଞ୍ଚ୍ ପ୍ୟାଡ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ଆମେରିକା ଏହାକୁ ‘ସୀମିତ ଓ ପ୍ରତିରକ୍ଷାମୂଳକ ଅପରେସନ’ ବୋଲି ବର୍ଣ୍ଣନା କରିଛି।
ଏହି ସଂଘର୍ଷ ମଧ୍ୟରେ ହର୍ମୁଜ ପ୍ରଣାଳୀରେ ନୌପରିବହନ ବ୍ୟବସ୍ଥା ବିଘ୍ନିତ ହୋଇଛି। ଇରାନ ନୌସେନା ଆମେରିକା ସହ ସଂପୃକ୍ତ ଏକ ତୈଳ ଟ୍ୟାଙ୍କରକୁ ଚେତାବନୀ ଗୁଳି ଚାଳନା କରି ପଛକୁ ଫେରାଇ ଦେଇଥିବା ବେଳେ ଅନ୍ୟ ୪ଟି ବାଣିଜ୍ୟିକ ଜାହାଜକୁ ମଧ୍ୟ ଅଟକାଇଛି। ସରକାରୀ ସୂତ୍ର ଅନୁଯାୟୀ, ଗତ ୨୪ ଘଣ୍ଟାରେ ମାତ୍ର ୨୩ଟି ଜାହାଜ ଏହି ପ୍ରଣାଳୀ ପାର୍ ହୋଇଛି, ଯାହା ସାଧାରଣ ସଂଖ୍ୟାଠାରୁ ବହୁତ କମ୍।
ଏହି ସଙ୍କଟ ମଧ୍ୟରେ ଆମେରିକା ରାଷ୍ଟ୍ରପତି Donald Trump କହିଛନ୍ତି ଯେ, କୌଣସି ଗୋଟିଏ ଦେଶ ଆନ୍ତର୍ଜାତୀୟ ଜଳପଥକୁ ନିଜ ନିୟନ୍ତ୍ରଣରେ ରଖିପାରିବ ନାହିଁ। ଏହା ସହିତ ହ୍ୱାଇଟ୍ ହାଉସ୍ ପକ୍ଷରୁ ଇରାନର ନୂଆ ସାମୁଦ୍ରିକ ସଂଗଠନ ‘ପର୍ସିଆନ ଗଲ୍ଫ ଷ୍ଟ୍ରେଟ ଅଥରିଟି’ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଯାଇଛି।
ଏହି ଆକ୍ରମଣ ଓ ପ୍ରତ୍ୟାକ୍ରମଣ ପରେ ତିନି ମାସ ଧରି ଚାଲିଥିବା ଶାନ୍ତି ଆଲୋଚନା ଏବେ ଅନିଶ୍ଚିତତାରେ ପଡ଼ିଛି। ଇରାନ ନିଜର ୟୁରାନିୟମ ସମୃଦ୍ଧୀକରଣ ଓ ଆଣବିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ସିଧାସଳଖ ମନା କରିଦେଇଥିବା ବେଳେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି।




