ଭୁବନେଶ୍ୱର:ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର. ଏସ. ଗୋପାଳନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏହି ବୃହତ ଅଭିଯାନ ଜୁନ୍ ୨୮ ପର୍ଯ୍ୟନ୍ତ ଚାଲିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଭୋଟର ସୂଚନାକୁ ସଠିକ୍ ଓ ଅପଡେଟ୍ କରିବା ପାଇଁ ରାଜ୍ୟବ୍ୟାପୀ ୪୫,୨୫୫ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ଘରକୁ ଘର ବୁଲି ଯାଞ୍ଚ କରିବେ। ଓଡ଼ିଶାର ପ୍ରାୟ ୩.୩୩ କୋଟି ପଞ୍ଜୀକୃତ ଭୋଟରଙ୍କୁ ଏହି ସମୟରେ ଦୁଇଟି ଲେଖାଏଁ ଗଣନା ଫର୍ମ ପ୍ରଦାନ କରାଯିବ। BLO ମାନେ ସକାଳ ସମୟରେ ଘରକୁ ଘର ବୁଲିବା ସହ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ନିଜ ନିଜ ବୁଥ୍ରେ ଉପସ୍ଥିତ ରହି ଭୋଟରଙ୍କ ସମସ୍ୟା ଓ ସଂଶୋଧନ କାର୍ଯ୍ୟରେ ସହାୟତା କରିବେ।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପ୍ରାୟ ୧୭ ପ୍ରତିଶତ ଭୋଟରଙ୍କ ତଥ୍ୟରେ ବୟସ, ନାମ ଏବଂ ପିତାମାତାଙ୍କ ନାମର ବନାନ ଗତ ତ୍ରୁଟି ରହିଛି। ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରେ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ।
ଆଗାମୀ ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ସ୍ୱଚ୍ଛ, ସଠିକ୍ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ଏହି ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହାଦ୍ୱାରା ନାଗରିକମାନେ ସେମାନଙ୍କର ତଥ୍ୟ ସଂଶୋଧନ କରିବାର ଏକ ସୁବର୍ଣ୍ଣ ସୁଯୋଗ ପାଇବେ।




