କୋରାପୁଟ: ଓଡ଼ିଶାର ଡାକ ବିଭାଗରେ ଏକ ବଡ଼ଧରଣର ଆର୍ଥିକ ମହାଘୋଟାଲା ସାମ୍ନାକୁ ଆସିଛି। ସରକାରୀ ଜନକଲ୍ୟାଣକାରୀ ଯୋଜନାର ପ୍ରତ୍ୟକ୍ଷ ଅନୁଦାନ ସ୍ଥାନାନ୍ତର ପାଣ୍ଠିରୁ ପ୍ରାୟ ୫୦ କୋଟି ଟଙ୍କା ହେରଫେର ଅଭିଯୋଗରେ ଜଣେ ସବ୍-ପୋଷ୍ଟମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ଅଧିକାରୀ ଜଣକ ହେଉଛନ୍ତି ଗୌରାଙ୍ଗ ସରକାର, ଯିଏକି ବର୍ତ୍ତମାନ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ କାର୍ଯ୍ୟରତ ଥିଲେ। ତେବେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଉପ-ଡାକଘର ଦାୟିତ୍ୱରେ ଥିବା ସମୟରେ ସେ ଏହି ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଝରିଗାଁ, କୋଡ଼ିଙ୍ଗା ଓ ଡାବୁଗାଁ ଡାକଘରର ହିତାଧିକାରୀଙ୍କ ସଞ୍ଚୟ ଖାତାରୁ ଜାଲିଆତି କରି ଏହି ଅର୍ଥ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଗାଏବ ହେବା ନେଇ ଗୁରୁତର ଅଭିଯୋଗ ଅଣାଯାଇଥିଲା, ଯାହା ପରେ ଡାକ ବିଭାଗ ପକ୍ଷରୁ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦେଖି ଡାକ ଅଧୀକ୍ଷକ ଗୌରାଙ୍ଗଙ୍କୁ ନିଲମ୍ବନ କରିଛନ୍ତି। ଏହି ମହାଘୋଟାଲାରେ ଆଉ ଦୁଇଜଣ ପୋଷ୍ଟମାଷ୍ଟରଙ୍କ ସଂପୃକ୍ତି ଥିବା ସନ୍ଦେହରେ ସେମାନଙ୍କ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି।
ବର୍ତ୍ତମାନ ଅଧିକାରୀମାନେ ଆର୍ଥିକ କାରବାରର ସମସ୍ତ ରେକର୍ଡ ଓ ହିତାଧିକାରୀଙ୍କ ଆକାଉଣ୍ଟ ଯାଞ୍ଚ କରୁଛନ୍ତି, ଯାହାଦ୍ୱାରା ଦୁର୍ନୀତିର ପ୍ରକୃତ ପରିମାଣ ଏବଂ ଏହା ପଛରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ପର୍ଦ୍ଦାଫାଶ ହୋଇପାରିବ।




