ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଜାତୀୟ ରାଜପଥ (NH-16) ଉପରେ ଏକ ଅତ୍ୟନ୍ତ ଭୟାନକ ଏବଂ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ଏକ କାରକୁ ଧକ୍କା ଦେବା ସହ ରାସ୍ତା ଉପରେ ପ୍ରାୟ ୬୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି। ମଞ୍ଚେଶ୍ୱର ଗଙ୍ଗୁଆ ବ୍ରିଜ୍ ଉପରେ ଘଟିଥିବା ଏହି ‘ହାଇୱା ହରର୍’ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, କାର୍ରେ ଏକ ପରିବାର ମଞ୍ଚେଶ୍ୱରରୁ ପାହାଳ ଆଡ଼କୁ ଯାଉଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ହାଇୱା ଟ୍ରକ୍ କାର୍ଟିକୁ ଜୋର୍ଦାର ଧକ୍କା ଦେଇଥିଲା। ଧକ୍କା ଦେବା ପରେ ବି ଡ୍ରାଇଭର ଗାଡ଼ି ନଅଟକାଇ କାର୍କୁ ପ୍ରାୟ ଅଧ କିଲୋମିଟରରୁ ଅଧିକ ବାଟ ଘୋଷାଡ଼ି ନେଇ ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିଲା। କାର୍ ଭିତରେ ସେହି ସମୟରେ ଦାଦା ସୁବ୍ରତ ପଟ୍ଟନାୟକ ଓ ଝିଆରି ଆଦ୍ୟାଶା ପଟ୍ଟନାୟକ ଥିଲେ। ଏହି ଦୁର୍ଘଟଣାରେ ଉଭୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସର ପିସିଆର (PCR) ଟିମ୍ ତୁରନ୍ତ ଉନ୍ମତ୍ତ ହାଇୱା ଟ୍ରକ୍କୁ ପିଛା କରିଥିଲା। ପାହାଳ ନିକଟରେ ପୋଲିସ ଗାଡ଼ି ଆଗରେ ରଖି ବ୍ଲକିଂ କରିବା ସହ ଜାମ୍ ଭଳି ସ୍ଥିତି ସୃଷ୍ଟି କରି ଶେଷରେ ଟ୍ରକ୍କୁ ଅଟକାଇବାରେ ସଫଳ ହୋଇଥିଲା। ପୋଲିସ ଅଭିଯୁକ୍ତ ହାଇୱା ଡ୍ରାଇଭରକୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି। ଗିରଫ ଡ୍ରାଇଭର ଜଣକ ହେଉଛନ୍ତି ଜଗମୋହନ ଭୁକ୍ତା। ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ହାଇୱାର ଏଭଳି ବେପରୁଆ ଗାଡ଼ି ଚାଳନା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।




