ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ Aparajita Sarangiଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାରେ ପୁଲିସ ଜଣେ ୧୭ ବର୍ଷୀୟ ନାବାଳକ ସମେତ ଦୁଇଜଣଙ୍କୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ, ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଫ୍ଲାଏଓଭର ନିକଟରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏନେଇ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଧନେଶ୍ୱର ବାରିକଙ୍କ ଅଭିଯୋଗ ଆଧାରରେ ୧୯ ତାରିଖରେ ବୋଲଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା।
ସିସିଟିଭି ଓ ସିଡିଆର ଆଧାରରେ ତଦନ୍ତ
ଘଟଣାର ତଦନ୍ତ ସମୟରେ ପୁଲିସ ସିସିଟିଭି ଫୁଟେଜ୍, କଲ୍ ଡିଟେଲ୍ ରେକର୍ଡ (CDR) ଏବଂ ସ୍ଥାନୀୟ ସୂଚନାର ବିଶ୍ଳେଷଣ କରିଥିଲା। ଏହାପରେ ୩୧ ତାରିଖରେ ଅଭିଯୁକ୍ତ ପ୍ରକାଶ କୁମାର ସାହୁ ଏବଂ ଜଣେ ନାବାଳକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା।
ପଚରାଉଚରା ପରେ ପୁଲିସ ଘଟଣାରେ ବ୍ୟବହୃତ ଏକ ମୋଟରସାଇକେଲ ଓ ମୋବାଇଲ ଫୋନ୍ ଜବତ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରକାଶ କୁମାର ସାହୁ ନାବାଳକ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଅଣ୍ଡାମାଡ଼ ପାଇଁ ଉସକାଇଥିଲେ।
କୋର୍ଟରେ ହାଜର
ପୁଲିସ ଅଭିଯୁକ୍ତ ପ୍ରକାଶ କୁମାର ସାହୁଙ୍କୁ ଖୋର୍ଦ୍ଧା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇଥିବା ବେଳେ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଉପସ୍ଥାପନ କରାଯାଇଛି। ଘଟଣାରେ ଜଡ଼ିତ ଅନ୍ୟ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ତଲାସି ଜାରି ରଖିଛି।
ପୂର୍ବରୁ ମଧ୍ୟ ଥିଲା ଅପରାଧିକ ମାମଲା
ତଦନ୍ତ ସମୟରେ ନାବାଳକ ଅଭିଯୁକ୍ତଙ୍କ ବିରୋଧରେ ବୋଲଗଡ଼ ଥାନାରେ ପୂର୍ବରୁ ଦୁଇଟି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଘଟଣାର ପୃଷ୍ଠଭୂମି ଏବଂ ଅନ୍ୟ ସମ୍ଭାବ୍ୟ ସମ୍ପୃକ୍ତିକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।




