ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ (ଓଏସ୍ଏଚ୍ବି) ରାଜ୍ୟରେ ଶସ୍ତା, ସୁଲଭ ଏବଂ ସମାବେଶୀ ଗୃହ ନିର୍ମାଣ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଭୁବନେଶ୍ୱରରେ ଚାଲିଥିବା ବୃହତ୍ ଆବାସିକ ପ୍ରକଳ୍ପଗୁଡ଼ିକର ସଫଳତାକୁ ଆଧାର କରି ଏହି ମଡେଲକୁ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିସ୍ତାର କରାଯିବ।
ରବିବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବୋର୍ଡର ଚାଲୁଥିବା ଓ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
୨୧ ଜିଲ୍ଲାରେ ୩୨ ହଜାରରୁ ଅଧିକ ୟୁନିଟ୍
ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏସ୍ଏଚ୍ବିର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ନାୟକ ସୂଚନା ଦେଇ କହିଥିଲେ ଯେ, ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ୩୨,୩୪୩ଟି ଗୃହ, ଦୋକାନ ଗୃହ ଏବଂ ପ୍ଲଟ୍ ବିକଶିତ କରାଯାଇଛି। ଏହା ଆର୍ଥିକ ଅନଗ୍ରସର (EWS), ନିମ୍ନ ଆୟ (LIG), ମଧ୍ୟମ ଆୟ (MIG) ଓ ଉଚ୍ଚ ଆୟ (HIG) ବର୍ଗର ଲୋକଙ୍କ ଆବାସ ଆବଶ୍ୟକତା ପୂରଣ କରୁଛି।
କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୦ ହଜାରରୁ ଅଧିକ ୟୁନିଟ୍ ବିକଶିତ କରାଯାଇଥିବା ବେଳେ ବର୍ତ୍ତମାନ ୫୧୭ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧,୪୮୪ଟି ଆବାସିକ ୟୁନିଟ୍ ସମ୍ବଳିତ ୫ଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟ ଚାଲିଛି।
ଚାଲିଛି ଏହି ପ୍ରମୁଖ ପ୍ରକଳ୍ପ
ଖାରବେଳ ଏନକ୍ଲେଭ, ଜାଗମରା (ଭୁବନେଶ୍ୱର):
୬୨.୫୧ କୋଟି ଟଙ୍କା ବ୍ୟୟରେ ୧୦୪ଟି HIG ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ପ୍ରକଳ୍ପଟି ହସ୍ତାନ୍ତର ପର୍ଯ୍ୟାୟରେ ଥିବାବେଳେ ୩୦ ଜଣଙ୍କୁ ଘର ହସ୍ତାନ୍ତର କରାଯାଇସାରିଛି।
ଅନୁଗୁଳ ଏନକ୍ଲେଭ:
୧୪.୫୫ କୋଟି ଟଙ୍କା ବ୍ୟୟରେ ୬୧୩ଟି ଆବାସିକ ଗୃହ ନିର୍ମାଣ ହେଉଛି। ଏଥିମଧ୍ୟରୁ ୨୨୮ଟି ୟୁନିଟ୍ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଡିସେମ୍ବର ୨୦୨୬ ସୁଦ୍ଧା ଦଖଲ ପ୍ରଦାନ କରାଯିବ।
ସୁଭଦ୍ରା ଏନକ୍ଲେଭ, ଡୁମୁଡୁମା:
୭୩.୪୦ କୋଟି ଟଙ୍କା ବ୍ୟୟରେ EWS, LIG ଓ MIG ବର୍ଗ ପାଇଁ ୧୯୮ଟି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି।
ବାସୁଦେବ ବିହାର ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍, ଅନ୍ଧାରୁଆ:
୨୭.୨୭ କୋଟି ଟଙ୍କା ବ୍ୟୟରେ ୨୦୬ଟି ଆବାସିକ ପ୍ଲଟ୍ ଉପଲବ୍ଧ କରାଯିବ। ଜୁଲାଇ ୨୦୨୬ରୁ ପୋଜେସନ୍ ପ୍ରକ୍ରିୟା ଆରମ୍ଭ ହେବ।
ଗାଡ଼କଣ ଗୃହ ନିର୍ମାଣ ପ୍ରକଳ୍ପ:
୧୮୯.୨୯ କୋଟି ଟଙ୍କା ବ୍ୟୟରେ ୩୩ଟି ଆବାସିକ ୟୁନିଟ୍ ସହ ବ୍ୟବସାୟିକ ସୁବିଧା ଥିବା ପ୍ରକଳ୍ପ ନିର୍ମାଣ କରାଯାଉଛି। ଜୁଲାଇ ୨୦୨୬ରେ ଏହାର ଶୁଭାରମ୍ଭ ହେବ।
ଆଗାମୀ ବର୍ଷ ୬,୮୭୭ ନୂଆ ଗୃହ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବୋର୍ଡ ୬,୮୭୭ଟି ନୂଆ ଆବାସିକ ୟୁନିଟ୍ ନିର୍ମାଣ ଲକ୍ଷ୍ୟ ରଖିଛି। ଏଥିପାଇଁ ଚାରିଟି ବୃହତ୍ ପ୍ରକଳ୍ପ ପ୍ରସ୍ତାବିତ ହୋଇଛି।
ସୁଆଙ୍ଗୋ PPP ପ୍ରକଳ୍ପ: ୧୨.୯ ଏକର ଜମିରେ ୨,୮୬୭ଟି ଗୃହ, ଯାହାର ମଧ୍ୟରେ ୧,୦୩୪ଟି ସୁଲଭ ଗୃହ ରହିବ।
ରଣସିଂହପୁର ଗୃହ ନିର୍ମାଣ ପ୍ରକଳ୍ପ: ୩୯୭ କୋଟି ଟଙ୍କା ବିନିଯୋଗରେ ୧,୨୬୨ଟି ଗୃହ ନିର୍ମାଣ କରାଯିବ।
ପାତ୍ରପଡ଼ା ଗୃହ ନିର୍ମାଣ ପ୍ରକଳ୍ପ: ୧୧.୫ ଏକର ଜମିରେ ୨,୫୧୦ଟି ଗୃହ ନିର୍ମାଣ ହେବ। ସେଥିମଧ୍ୟରୁ ୮୨୦ଟି ସୁଲଭ ଆବାସ ରହିବ।
ରାଉରକେଲା ବାସନ୍ତୀ କଲୋନୀ ପ୍ରକଳ୍ପ: ୨୩୮ଟି MIG ଓ HIG ଆପାର୍ଟମେଣ୍ଟ ନିର୍ମାଣ ପ୍ରସ୍ତାବ ରହିଛି।
ଋଣମୁକ୍ତ ଓ ଲାଭଜନକ ସଂସ୍ଥା ଭାବେ ଓଏସ୍ଏଚ୍ବି
ସମୀକ୍ଷା ବୈଠକରେ ବୋର୍ଡର ଆର୍ଥିକ ସ୍ଥିତି ମଧ୍ୟ ଆଲୋଚନା କରାଯାଇଥିଲା। ଓଏସ୍ଏଚ୍ବି ବର୍ତ୍ତମାନ ଏକ ଋଣମୁକ୍ତ ସଂସ୍ଥା ଭାବେ ଉଭା ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧୮.୪୦ କୋଟି ଟଙ୍କା ଲାଭ କରିଥିବା ବେଳେ ୨୦୨୫-୨୬ରେ ଅସ୍ଥାୟୀ ଭାବେ ୨୫.୫୦ କୋଟି ଟଙ୍କା ଲାଭ ହାସଲ କରିଛି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ବୋର୍ଡ ପାଖରେ ୩୭.୪୨ କୋଟି ଟଙ୍କା ପାଣ୍ଠି ଉପଲବ୍ଧ ରହିଥିବା ସୂଚନା ଦିଆଯାଇଛି।




