ବିହାର: ମୁଜାଫରପୁରରେ ଥିବା ଏକ ପ୍ରତିଷ୍ଠିତ ବେସରକାରୀ ଚିକିତ୍ସାଳୟ ‘ପ୍ରସାଦ ହସ୍ପିଟାଲ’ରେ ଗୁରୁବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତିକମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୁଜାଫରପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ସୁବ୍ରତ କୁମାର ସେନ୍ ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିବା ସହ କିଛି ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ବ୍ରହ୍ମପୁରା ଥାନା ଅନ୍ତର୍ଗତ ଏହି ହସ୍ପିଟାଲର ଆଇସିୟୁ (ICU)ରେ ସର୍ଟ ସର୍କିଟ ଯୋଗୁଁ ପ୍ରଥମେ ନିଆଁ ଲାଗିଥିଲା। ଅଳ୍ପ ସମୟ ମଧ୍ୟରେ ଧୂଆଁ ଓ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା, ଯାହାଫଳରେ ଆଇସିୟୁରେ ଥିବା ଅନେକ ରୋଗୀ ଆତଙ୍କିତ ଅବସ୍ଥାରେ ଫସି ରହିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।ଅଗ୍ନିଶମ ଅଧିକାରୀ ରାମ ନିବାସ ପାଣ୍ଡେ କହିଛନ୍ତି ଯେ ନିଆଁ ଯୋଗୁଁ ନୁହେଁ, ବରଂ ପ୍ରବଳ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ରୋଗୀଙ୍କ ମୃତ୍ୟୁ ଘଟିଛି।
ହସ୍ପିଟାଲ ପରିସରରେ ନିରାପତ୍ତା ବ୍ୟବସ୍ଥାର ଅଭାବ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇ ଆହତ ଏବଂ ଅନ୍ୟ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକର ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।




