କଟକ: କାଠଯୋଡ଼ି ନଦୀରୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ (MBBS) ଶେଷ ବର୍ଷର ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏକ ନୂଆ ମୋଡ଼ ଆସିଛି। ପ୍ରାଥମିକ ସ୍ତରରେ ଏହାକୁ ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ, ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇ ନଦୀକୁ ଫିଙ୍ଗି ଦିଆଯାଇଥିବା ନେଇ ସିଧାସଳଖ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ସଦସ୍ୟ।ମୃତ ଚନ୍ଦ୍ରିକାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଗ୍ରାମରେ। ତ୍ରିଶୁଳିଆ ବ୍ରିଜ୍ ନିକଟରୁ ଝିଅର ମୃତଦେହ ମିଳିବା ଖବର ପାଇ ପରିବାର ଲୋକେ କଟକରେ ପହଞ୍ଚିବା ପରେ ଏହି ସଂଗୀନ ଅଭିଯୋଗ ଆଣିଛନ୍ତି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଚନ୍ଦ୍ରିକା ଭୀମସେନ ପ୍ରସାଦ ଟୁଡୁ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ ଏବଂ ଦୀର୍ଘ ବର୍ଷ ହେବ ଉଭୟ ପ୍ରେମ ସମ୍ପର୍କରେ ଥିଲେ। ଏପରିକି ୨୦୨୭ ମସିହାରେ ଉଭୟ ବିବାହ କରିବେ ବୋଲି ଭୀମସେନ ଚନ୍ଦ୍ରିକାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେବେ ଗତ କିଛି ଦିନ ହେବ ସେମାନଙ୍କ ସମ୍ପର୍କ ମଧ୍ୟରେ ସ୍ଵାତି ନାମକ ଅନ୍ୟ ଜଣେ ଯୁବତୀଙ୍କ ପ୍ରବେଶ ହେବା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏହି କାରଣରୁ ଭୀମସେନ ଅନେକ ସମୟରେ ଚନ୍ଦ୍ରିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ପରିବାର ଲୋକେ କହିଛନ୍ତି।
ଚନ୍ଦ୍ରିକାଙ୍କ ମା’ ଏବଂ ଭାଇ ଅଭିଯୋଗ କରିଛନ୍ତି ଯେ, ଏହି ବିବାଦ ଯୋଗୁଁ ପ୍ରେମିକ ଭୀମସେନ ଏବଂ ସ୍ଵାତି ମିଳିତ ଭାବେ ଏକ ଷଡ଼ଯନ୍ତ୍ର ରଚନା କରି ଚନ୍ଦ୍ରିକାଙ୍କୁ ହତ୍ୟା କରିଛନ୍ତି ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ କାଠଯୋଡ଼ି ପୋଲ ତଳକୁ ଫିଙ୍ଗି ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟ ନଦୀପଠାରୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର କରି ଏସସିବି (SCB) ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।




