ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଜଣେ ମହିଳାଙ୍କୁ ରାତିରେ ଘରକୁ ଫେରୁଥିବା ବେଳେ ଜୋରଜବରଦସ୍ତ ଉଠାଇ ନେଇ ଯୌନ ନିର୍ଯାତନା ଉଦ୍ୟମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁଲିସ ତୁରନ୍ତ ହସ୍ତକ୍ଷେପ କରି ମହିଳାଙ୍କୁ ଉଦ୍ଧାର କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଫେରାର ଥିବା ସୂଚନା ମିଳିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ଲୁହରାଢିପା ବସଷ୍ଟାଣ୍ଡ ନିକଟ ଅଞ୍ଚଳରେ ଘଟିଥିଲା। ମହିଳା ଜଣକ ରାତିରେ ଏକାକୀ ଘରକୁ ଫେରୁଥିବା ସମୟରେ ତିନିଜଣ ଯୁବକ ତାଙ୍କୁ ଜବରଦସ୍ତ ନେଇଯାଇଥିବା ଅଭିଯୋଗ ହୋଇଛି।

ମହିଳାଙ୍କ ଚିତ୍କାର ଶୁଣି ଜଣେ ସ୍ଥାନୀୟ ଯୁବକ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଟାଉନ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

ପରେ ପୁଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।

ପୁଲିସ ପକ୍ଷରୁ ମାମଲାର ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି।