ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବାବେଳେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଏବଂ ଦଳୀୟ ବିଧାୟକଙ୍କ ଉପସ୍ଥିତିରେ ସେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ସହ ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ, ୬୬ ବର୍ଷୀୟ ଏହି ପୂର୍ବତନ ବିଜେଡି ନେତା ଏବଂ ତାଙ୍କ ପତ୍ନୀଙ୍କ ମିଳିତ ସମ୍ପତ୍ତିର ମୂଲ୍ୟ ୧୭ କୋଟି ଟଙ୍କାରୁ ଅଧିକ।
ଦେବାଶିଷ ଓ ତାଙ୍କ ପତ୍ନୀ ବିତସ୍ତା ସାମନ୍ତରାୟଙ୍କ ନାମରେ ପ୍ରାୟ ୧୨.୮୮ କୋଟି ଟଙ୍କାର ସ୍ଥାବର ଏବଂ ୫.୬୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଦେବାଶିଷଙ୍କ ବ୍ୟକ୍ତିଗତ ନେଟ୍ ୱର୍ଥ ୯.୫୦ କୋଟି ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନେଟ୍ ୱର୍ଥ ୮.୯୮ କୋଟି ଟଙ୍କା। ଏଥିସହ ଉଭୟଙ୍କ ଉପରେ ଯଥାକ୍ରମେ ୮୮.୭୪ ଲକ୍ଷ ଓ ୮୩.୨୩ ଲକ୍ଷ ଟଙ୍କାର ଋଣ ରହିଛି। ଆଇନଗତ ଦିଗକୁ ଦେଖିଲେ, ତାଙ୍କ ବିରୋଧରେ ଅବକାରୀ ଓ କମ୍ପାନୀ ଆକ୍ଟ ସହ ଜଡ଼ିତ ୩ଟି ମାମଲା ବିଚାରାଧୀନ ରହିଛି।
ନାମାଙ୍କନ ପରେ ଦେବାଶିଷ କହିଛନ୍ତି, “ବିଜେଡି ଏବେ ଖାଲି ହେବାରେ ଲାଗିଛି ଏବଂ ଆଗାମୀ ଦିନରେ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ। ରାଜ୍ୟରେ ଡବଲ୍-ଇଞ୍ଜିନ ସରକାର ଥିବାରୁ ଲୋକଙ୍କ ପାଇଁ କାମ କରିବାକୁ ଏଠାରେ ଅଧିକ ସୁଯୋଗ ରହିଛି।” ସୂଚନାଯୋଗ୍ୟ, ଗତ ମାସରେ ସେ ବିଜେଡି ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ, ଯାହା ପାଇଁ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି।




