ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର RTO ଅଫିସରେ କାର୍ଯ୍ୟରତ ମୋଟର ଯାନ (MV) କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେବାକୁ ଚେଷ୍ଟା କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ପତ୍ନୀ (ଯିଏ କି ଜିଲ୍ଲା ପୋଲିସରେ କନଷ୍ଟେବଳ ଅଛନ୍ତି) ଏବଂ ଶାଳକ ମିଶି ଏହି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି।
ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଆଶୁତୋଷ ଦେଇଥିବା ବୟାନର ଏକ ଭିଡିଓ ରବିବାର ଭାଇରାଲ୍ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। “ମୋ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ”:ଭାଇରାଲ୍ ଭିଡିଓରେ ଆଶୁତୋଷ ନିଜର ଦୁଃଖଦ କାହାଣୀ ସେୟାର କରି କହିଛନ୍ତି, “ମୁଁ ମୋ ପତ୍ନୀ ସନ୍ଧ୍ୟା ନାୟକଙ୍କ କ୍ୱାର୍ଟର୍ସକୁ ଯାଇଥିଲି।
ସେଠାରେ ମୋ ପତ୍ନୀ ଏବଂ ତାଙ୍କ ଭାଇ ମୋ ଉପରେ ପେଟ୍ରୋଲ ଢାଳି ଦେଇଥିଲେ। ମୁଁ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଶାଳକ ଦିଆସିଲି କାଠି ମାରି ନିଆଁ ଲଗାଇ ଦେଇଥିଲା। ମୋ ଶରୀରରେ ନିଆଁ ଜଳିଉଠିବାରୁ ମୁଁ ଜୀବନ ବିକଳରେ କ୍ୱାର୍ଟର୍ସରୁ ବାହାରକୁ ଦୌଡ଼ି ପଳାଇଥିଲି ଏବଂ ପାଖରେ ଥିବା ଅନ୍ୟ ଜଣଙ୍କ ଘରେ ପଶିଯାଇଥିଲି।
“ସେ ଆହୁରି କହିଛନ୍ତି, “ସେହି ଘରର ଲୋକମାନେ ମୋ ଉପରେ ବାଲ୍ଟି ବାଲ୍ଟି ପାଣି ଢାଳି ନିଆଁକୁ ଲିଭାଇଥିଲେ। ନିଆଁ ଲିଭିବା ପରେ ମୁଁ ସେଠାରେ ଅଚେତ ହୋଇ ପଡ଼ିଯାଇଥିଲି। ପରେ ଆମ୍ବୁଲାନ୍ସ ଆସି ମତେ ଉଦ୍ଧାର କରି ହସ୍ପିଟାଲ ଆଣିଥିଲା।”
ଆଇସିୟୁ (ICU) ରେ ଚିକିତ୍ସିତ ହେଉଛନ୍ତି ଆଶୁତୋଷ:ଏହି ସଂଘାତିକ ଘଟଣା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଭିଯୋଗ ଆଧାରରେ ନାମିତ FIR ରୁଜୁ କରାଯାଇଛି। ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ଏସପିଙ୍କ ସୂଚନା: “ପୀଡ଼ିତ ଆଶୁତୋଷ ବର୍ତ୍ତମାନ ଆଇସିୟୁ (ICU) ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି, ଆବଶ୍ୟକ ପଡ଼ିଲେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ବର୍ତ୍ତମାନ ସୁଦ୍ଧା କାହାକୁ ଅଟକ ରଖାଯାଇ ନାହିଁ। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”ଏହି ସମ୍ପୂର୍ଣ୍ଣ ମାମଲାରେ ଅଭିଯୁକ୍ତ ପତ୍ନୀ ସନ୍ଧ୍ୟା ନାୟକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ପୋଲିସ ପାରିବାରିକ କଳହ ଓ ଅନ୍ୟାନ୍ୟ ଦିଗକୁ ନେଇ ମାମଲାର ଖୋଳତାଡ଼ କରୁଛି।




