ନୂଆଦିଲ୍ଲୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିର ଏକ ଅନନ୍ୟ ନିଦର୍ଶନ ସ୍ୱରୂପ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଏବଂ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପୁରୀରୁ ନିଆଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର ହସ୍ତତନ୍ତ୍ର ନିର୍ମିତ ମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରାଯାଇଛି।

ଏହି ପ୍ରତିନିଧି ଦଳରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ, ସେବାୟତ ବିପିନ ପାତ୍ରୀ ଏବଂ ସେବାୟତ ସନ୍ତୋଷ ପୁଷ୍ପାଳକ ସାମିଲ ଥିଲେ। ରାଷ୍ଟ୍ରପତିଙ୍କ ସହ ଏହି ସାକ୍ଷାତକାର ଅତ୍ୟନ୍ତ ଭାବପୂର୍ଣ୍ଣ ଏବଂ ସ୍ମରଣୀୟ ଥିଲା ବୋଲି ସେମାନେ ପ୍ରକାଶ କରିବା ସହ ତାଙ୍କର ସ୍ନେହ ଏବଂ ଆଶୀର୍ବାଦ ପାଇଁ ଗଭୀର କୃତଜ୍ଞତା ଜଣାଇଛନ୍ତି।

ଆଲୋଚନା ସମୟରେ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ସହ ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତି, ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏବଂ ସେବାୟତମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ପୁରୀର ପୌର ବିକାଶ ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ନେଇ ସେମାନେ ନିଜର ମତାମତ ଉପସ୍ଥାପନ କରିଥିଲେ।

ସାକ୍ଷାତକାର ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ପ୍ରତି ଥିବା ନିଜର ଅକୁଣ୍ଠ ଭକ୍ତିଭାବକୁ ଦୋହରାଇବା ସହ ପୁରୀର ମହାନ ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ମନ୍ଦିରର ସୁପରିଚାଳନା ଏବଂ ସେବାୟତମାନଙ୍କ କଲ୍ୟାଣ ସମ୍ପର୍କରେ ମଧ୍ୟ ସେ ବେଶ୍ ଆଗ୍ରହ ପ୍ରକାଶ କରିଥିଲେ।