ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଆଥଲେଟ୍ ଅନିମେଶ କୁଜୁର ଆନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ‘ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬’ର ପୁରୁଷ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ସହ ସେ ୨୦୨ ୬ କମନୱେଲଥ ଗେମ୍ସ ପାଇଁ ମଧ୍ୟ ନିଜର ସ୍ଥାନ ପକ୍କା କରିଛନ୍ତି।
ଅନିମେଶଙ୍କ ଏହି ବଡ଼ ସଫଳତା ପାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି:
“ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଚାମ୍ପିଅନସିପ୍ର ପୁରୁଷ ୨୦୦ ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତିବା ସହ କମନୱେଲଥ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ତାରକା ଆଥଲେଟ୍ ଅନିମେଶ କୁଜୁରଙ୍କୁ ଅଭିନନ୍ଦନ। ସେ ଆଗକୁ ଆହୁରି ସଫଳ ହୁଅନ୍ତୁ ଏବଂ ଦେଶ ପାଇଁ ଗୌରବ ଆଣନ୍ତୁ। ତାଙ୍କୁ ମୋର ଅନେକ ଅନେକ ଶୁଭକାମନା।”
ଏକ ଶକ୍ତିଶାଳୀ ଆନ୍ତର୍ଜାତୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଲଢ଼ି ଅନିମେଶ ନିଜର ଦ୍ରୁତ ଗତି ଓ ନିଷ୍ଠାର ପ୍ରଦର୍ଶନ କରିଛନ୍ତି। କ୍ରୀଡ଼ା ବିଶେଷଜ୍ଞଙ୍କ ମତରେ, କମନୱେଲଥ ଗେମ୍ସ ଭଳି ବଡ଼ ମଞ୍ଚ ଅନିମେଶଙ୍କୁ ବିଶ୍ୱର ଶ୍ରେଷ୍ଠ ଆଥଲେଟ୍ମାନଙ୍କ ସହ ପ୍ରତିଯୋଗିତା କରିବା ପାଇଁ ଏକ ବଡ଼ ସୁଯୋଗ ଦେବ। ଏହି ସଫଳତା ଓଡ଼ିଶାର ଯୁବ ଆଥଲେଟ୍ମାନଙ୍କୁ ପ୍ରେରିତ କରିବ ବୋଲି ଆଶା କରାଯାଉଛି।




