ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ, ଡିଜେଲ, ଏଲପିଜି (LPG) ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ ବିଜେପି ନେତୃତ୍ୱାଧୀନ “ଡବଲ୍ ଇଞ୍ଜିନ” ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ (ବିଜେଡି)। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦର ହ୍ରାସ ପାଉଥିଲେ ସୁଦ୍ଧା ଦେଶରେ ଇନ୍ଧନ ସାମଗ୍ରୀର ମୂଲ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି, ଯାହା ସାଧାରଣ ଜନତାଙ୍କ ଉପରେ ପ୍ରବଳ ଆର୍ଥିକ ବୋଝ ପକାଉଛି ବୋଲି ଦଳ ଅଭିଯୋଗ କରିଛି।

ସୋମବାର ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଞ୍ଜଳି ଛୁରିଆ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସ୍ନେହାଞ୍ଜଳି ଛୁରିଆ କହିଛନ୍ତି ଯେ, ୨୦୧୪ ମସିହାରେ ଯେଉଁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୪୧୫ ଟଙ୍କା ଥିଲା, ତାହା ଏବେ ବୃଦ୍ଧି ପାଇ ପ୍ରାୟ ୯୬୮ ଟଙ୍କାରେ ପହଞ୍ଚିଛି। ଗତ ୧୦ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ୍ ଦର ଦୁଇ ଗୁଣାରୁ ଅଧିକ ବଢ଼ିଯାଇଛି। ସେହିପରି ପେଟ୍ରୋଲ, ଡିଜେଲ ଏବଂ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରର ଅସ୍ବାଭାବିକ ଦରବୃଦ୍ଧି ସାଧାରଣ ଲୋକଙ୍କ ଘରୋଇ ବଜେଟକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି।

“ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିଲେ ମଧ୍ୟ ଗ୍ରାହକମାନେ ଏହାର ସୁଫଳ କାହିଁକି ପାଉନାହାନ୍ତି? କେନ୍ଦ୍ର ସରକାର ପେଟ୍ରୋଲିୟମ ଜାତ ଦ୍ରବ୍ୟ ଉପରୁ ଟିକସ ହ୍ରାସ କରନ୍ତୁ ଏବଂ ପେଟ୍ରୋଲ ଓ ଡିଜେଲକୁ ଜିଏସଟି (GST) ପରିସରଭୁକ୍ତ କରନ୍ତୁ, ଯାହା ଦ୍ୱାରା ଜନସାଧାରଣଙ୍କୁ ଆର୍ଥିକ ସେବା ମିଳିପାରିବ।” ବିଜେଡି ନେତ୍ରୀଙ୍କ କହିବା ଅନୁଯାୟୀ, ଏହି ଦରବୃଦ୍ଧି ଯୋଗୁଁ ନିମ୍ନ ଓ ମଧ୍ୟବିତ୍ତ ପରିବାର, ଛୋଟ ବ୍ୟବସାୟୀ, ଚା’ ଦୋକାନୀ ଏବଂ ହୋଟେଲ ମାଲିକମାନେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି। ବର୍ଦ୍ଧିତ ମହଙ୍ଗା ମାଡ଼ ଓ ଇନ୍ଧନ ଖର୍ଚ୍ଚକୁ ନେଇ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାର ଏଥିପ୍ରତି ସମ୍ବେଦନହୀନ ରହିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସ୍ନେହାଞ୍ଜଳି ଛୁରିଆ ରାଜ୍ୟର ମହିଳା ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଓଡ଼ିଶାରେ ନିକଟ ଅତୀତରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ମହିଳାଙ୍କ ବିରୋଧରେ ହିଂସା ମାମଲା ବୃଦ୍ଧି ପାଉଥିବା ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି।

ବର୍ତ୍ତମାନର ସରକାର ଏହି ସମ୍ବେଦନଶୀଳ ମାମଲାଗୁଡ଼ିକୁ ସଠିକ୍ ଭାବେ ମୁକାବିଲା କରିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିବା ସହ ମହିଳାମାନଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।ତେଣୁ, ସାଧାରଣ ଜନତାଙ୍କୁ ତୁରନ୍ତ ଆଶ୍ଵସ୍ତି ଦେବା ପାଇଁ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଦର ହ୍ରାସ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛି ବିଜେଡି।