ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇ ସୋମବାର ରାଜ୍ୟପାଳ ହରିବାବୁ କମ୍ଭମପତି ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ମହେନ୍ଦ୍ରଗିରି ପାହାଡ଼ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସେଠାରେ ଚାଲିଥିବା ବାର୍ଷିକ ମହେନ୍ଦ୍ରଗିରି ମେଳାରେ ସାମିଲ ହୋଇଥିଲେ।ରାଜ୍ୟପାଳ ମହେନ୍ଦ୍ରଗିରି ଶିଖରରେ ଆୟୋଜିତ ଭବ୍ୟ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବା ସହ ଐତିହାସିକ କୁନ୍ତୀ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।

ମହେନ୍ଦ୍ରଗିରିକୁ ଓଡ଼ିଶାର ଚିରନ୍ତନ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଏହି ପବିତ୍ର ପୀଠ ପିଢ଼ି ପିଢ଼ି ଧରି ଧର୍ମ, ଭକ୍ତି ଏବଂ ସାମାଜିକ ଏକତାକୁ ପ୍ରୋତ୍ସାହିତ କରିଆସୁଛି। ମହେନ୍ଦ୍ରଗିରି ପରେ ରାଜ୍ୟପାଳ ଜିରଙ୍ଗସ୍ଥିତ ପ୍ରସିଦ୍ଧ ପଦ୍ମସମ୍ଭବ ମହାବିହାର (ବୌଦ୍ଧ ସେକ୍ଟର) ପରିଦର୍ଶନ କରିଥିଲେ। ସେଠାରେ ସେ ବିଶ୍ୱଶାନ୍ତି, ସମୃଦ୍ଧି ଓ ମାନବ ଜାତିର କଲ୍ୟାଣ ପାଇଁ ଭଗବାନ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ବିହାରରେ ପହଞ୍ଚିବା ପରେ ବୌଦ୍ଧ ସନ୍ନ୍ୟାସୀ, ଆଧ୍ୟାତ୍ମିକ ନେତା ଓ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। “ଭିଏତନାମରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅସ୍ଥିଧାତୁ ଭାରତକୁ ଫେରାଇ ଆଣିବାରେ ମୋର ଏକ ଭୂମିକା ଥିଲା। ତେଣୁ ଏହି ବୌଦ୍ଧ ବିହାର ପରିଦର୍ଶନ ମୋ ପାଇଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ମରଣୀୟବୋଲି କହିଛନ୍ତି ହରିବାବୁ କମ୍ଭମପତି, ମାନ୍ୟବର ରାଜ୍ୟପାଳ।

ଆଧ୍ୟାତ୍ମିକ ଜ୍ଞାନ, କରୁଣା ଓ ସଦଭାବନା ପ୍ରତି ବୌଦ୍ଧ ସନ୍ନ୍ୟାସୀମାନଙ୍କର ଉତ୍ସର୍ଗୀକୃତ ମନୋଭାବକୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଥିଲେ। ସାଂସ୍କୃତିକ ସମନ୍ୱୟ ରକ୍ଷା କରିବା ଏବଂ ଭଗବାନ ବୁଦ୍ଧଙ୍କ ନୀତି ଓ ଶିକ୍ଷାକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବାରେ ଏହି ଅନୁଷ୍ଠାନର ଅବଦାନ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି।ଏହି ପରିଦର୍ଶନ ସମୟରେ ରାଜ୍ୟପାଳଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ।