ବଲାଙ୍ଗୀର: ବଲାଙ୍ଗୀର ସହରରେ ଆଜି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଟାଉନ୍ ଥାନା ଅନ୍ତର୍ଗତ ଗାନ୍ଧୀନଗର ପଡ଼ାଠାରେ ଏକ ଦ୍ରୁତଗାମୀ ଅଜଣା ଟ୍ରକ୍ ସ୍କୁଟିକୁ ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କନ୍ଧପାଲି ପଡ଼ାର ସୁମନ ନାଗ ଏବଂ ତାଙ୍କ ଝିଅ ସ୍ମୃତି ନାଗ। ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ଘଟଣାସ୍ଥଳରୁ ଦ୍ରୁତ ଗତିରେ ଫେରାର ହୋଇଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ସୁମନ ନାଗ ଏକ ସ୍ପେଶାଲ ପ୍ରାଇଭେଟ୍ ନର୍ସିଂହୋମରେ କାମ କରୁଥିଲେ। ଆଜି ସକାଳେ ଝିଅ ସ୍ମୃତି ତାଙ୍କୁ ସ୍କୁଟିରେ ନେଇ ନର୍ସିଂହୋମକୁ ଛାଡ଼ିବାକୁ ଯାଉଥିଲେ। ଏହି ସମୟରେ ଗାନ୍ଧୀନଗର ପଡ଼ା ନିକଟରେ ଏକ ଭାରୀ ଯାନ (ଟ୍ରକ) ସେମାନଙ୍କ ସ୍କୁଟିକୁ ପଛପଟୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଦୁହିଁଙ୍କର ଜୀବନ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଖବର ପାଇ ଟାଉନ୍ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ଫେରାର ଟ୍ରକ୍ ଏବଂ ଏହାର ଚାଳକକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ବେପରୁଆ ଗାଡ଼ି ଚାଳନା ଏବଂ ଟ୍ରାଫିକ ବ୍ୟବସ୍ଥାର ସୁଧାର ଅଭାବ ଯୋଗୁଁ ସହରରେ ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅଭିଯୁକ୍ତ ଡ୍ରାଇଭରକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି।




