କୋଲକାତା: ପଶ୍ଚିମବଙ୍ଗ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ରାଜାରହାଟ-ନ୍ୟୁଟାଉନ ଆସନର ପୂର୍ବତନ ଦୁଇଥରର ଟିଏମସି (TMC) ବିଧାୟକ ତଥା ବିଧାନନଗର ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ଚେୟାରମ୍ୟାନ ସବ୍ୟସାଚୀ ଦତ୍ତଙ୍କୁ ମଙ୍ଗଳବାର ଭୋର ସମୟରେ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦୁର୍ନୀତି, ଜବରଦସ୍ତ ଚାନ୍ଦା ଆଦାୟ ଏବଂ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ଭଳି ଗୁରୁତର ଅଭିଯୋଗ ରହିଛି।

ସବ୍ୟସାଚୀ ଦତ୍ତ ବର୍ତ୍ତମାନ ବିଧାନନଗର ମ୍ୟୁନିସିପାଲିଟି କର୍ପୋରେସନର ୩୧ ନମ୍ବର ୱାର୍ଡର କାଉନସିଲର ଅଛନ୍ତି। ସଲ୍ଟଲେକ୍ ଅଞ୍ଚଳର ଜଣେ ବ୍ୟବସାୟୀ ବିଧାନନଗର ସିଟି ପୋଲିସ ନିକଟରେ କରିଥିବା ଲିଖିତ ଅଭିଯୋଗ ଆଧାରରେ ଏହି ଗିରଫଦାରୀ ହୋଇଛି। ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଏବଂ ଦୁର୍ନୀତିର ଅନେକ ଅଭିଯୋଗ ହୋଇଥିଲା।

ବ୍ୟବସାୟୀଙ୍କ ଅଭିଯୋଗ ପରେ ବିଧାନନଗର ନର୍ଥ ଥାନା ପୋଲିସ ସୋମବାର ମଧ୍ୟରାତ୍ରିରେ ରାଜାରହାଟର ରାୟଗାଛି ଅଞ୍ଚଳରେ ଥିବା ସବ୍ୟସାଚୀଙ୍କ ବାସଭବନରେ ଚଢ଼ାଉ କରିଥିଲା। ଘରେ ଦୀର୍ଘ ସମୟ ଧରି ଜେରା କରିବା ପରେ ମଙ୍ଗଳବାର ସକାଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ପୋଲିସ ସୂତ୍ର ଅନୁଯାୟୀ, ଗିରଫ ପରେ ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ପରେ ତାଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅଦାଲତରେ ହାଜର କରାଯିବ। ପୋଲିସ ପକ୍ଷରୁ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇପାରେ।

ବାରମ୍ବାର ଦଳ ବଦଳାଇ ଚର୍ଚ୍ଚାରେ ଥିଲେ ସବ୍ୟସାଚୀ

ସବ୍ୟସାଚୀ ଦତ୍ତ ୨୦୧୧ ରୁ ୨୦୨୧ ପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସ ଟିକେଟ୍‌ରେ ଦୁଇଥର ବିଧାୟକ ହୋଇଥିଲେ। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି (BJP) ରେ ଯୋଗ ଦେଇଥିଲେ। ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସେ ଟିଏମସିର ସୁଜିତ ବୋଷଙ୍କଠାରୁ ପରାଜିତ ହୋଇଥିଲେ। ନିର୍ବାଚନ ପରେ ଟିଏମସି ପୁଣି ସତ୍ତାକୁ ଫେରିବାରୁ ସେ ବିଜେପି ଛାଡ଼ି ପୁଣି ଶାସକ ଦଳକୁ ଫେରିଥିଲେ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ (ଯେଉଁଥିରେ ପଶ୍ଚିମବଙ୍ଗରେ ଟିଏମସିର ୧5 ବର୍ଷର ଶାସନର ଅନ୍ତ ଘଟିଛି) ସେ ବାରାସାତ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ସବ୍ୟସାଚୀଙ୍କୁ ହରାଇଥିବା ପୂର୍ବତନ ମନ୍ତ୍ରୀ ସୁଜିତ ବୋଷ ମଧ୍ୟ ବର୍ତ୍ତମାନ ପୌରପାଳିକା ଚାକିରି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଗିରଫ ହୋଇ ନ୍ୟାୟିକ ହେପାଜତରେ ଅଛନ୍ତି।