ନୂଆଦିଲ୍ଲୀ: ଭାରତୀୟ ଆମ୍ବ ରପ୍ତାନିକୁ ନେଇ ନୂଆ ଚିନ୍ତା ସୃଷ୍ଟି ହୋଇଛି। ଜାପାନ ପରେ ବର୍ତ୍ତମାନ ନେପାଳ ମଧ୍ୟ ଭାରତରୁ ଆମ୍ବ ଆମଦାନି ଉପରେ କଟକଣା ଲଗାଇଥିବା ଖବର ସାମ୍ନାକୁ ଆସିଛି। ଅତ୍ୟଧିକ ରାସାୟନିକ କୀଟନାଶକ ବ୍ୟବହାର ନେଇ ଚିନ୍ତା ପ୍ରକାଶ କରି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ନେପାଳର କୃଷି କର୍ତ୍ତୃପକ୍ଷଙ୍କ ମତାନୁସାରେ, ସ୍ଥାନୀୟ ଚାଷୀଙ୍କୁ ସୁରକ୍ଷା ଦେବା ଏବଂ ଉପଭୋକ୍ତାଙ୍କୁ ନିରାପଦ ଫଳ ଯୋଗାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଆଶା ଯେ, ଏହା ଦେଶରେ ସ୍ଥାନୀୟ ଆମ୍ବ ଉତ୍ପାଦନକୁ ଉତ୍ସାହ ଦେବ।

ଅନ୍ୟପକ୍ଷରେ, ନେପାଳର ଫଳ ବ୍ୟବସାୟୀମାନେ ଏହି କଟକଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ନେପାଳରେ ସ୍ଥାନୀୟ ଉତ୍ପାଦନ ସୀମିତ ଏବଂ ବର୍ଷର କେବଳ କିଛି ସମୟ ପାଇଁ ଆମ୍ବ ମିଳୁଥିବାରୁ ବଜାରରେ ଯୋଗାଣ କମିପାରେ ଓ ଦାମ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଯଦିଓ ନେପାଳ ଭାରତୀୟ ଆମ୍ବର ସବୁଠାରୁ ବଡ଼ ରପ୍ତାନି ବଜାର ନୁହେଁ, ତଥାପି ଏହି କଟକଣାର କାରଣ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି। କାରଣ ଏହା ପୂର୍ବରୁ ମଧ୍ୟ ଜାପାନ ସମାନ ପ୍ରକାର ଗୁଣବତ୍ତା ଓ ସୁରକ୍ଷା ମାନଦଣ୍ଡ ନେଇ ଭାରତୀୟ ଆମ୍ବ ଆମଦାନିରେ କଟକଣା ଆଣିଥିଲା।

ତେବେ ଭାରତୀୟ ଆମ୍ବ ପାଇଁ ଏବେ ମଧ୍ୟ ଆନ୍ତର୍ଜାତୀୟ ବଜାରରେ ଭଲ ଚାହିଦା ରହିଛି। ଆମେରିକା, ୟୁଏଇ, ବ୍ରିଟେନ, ନେଦରଲ୍ୟାଣ୍ଡ୍‌ସ ଓ ସାଉଦି ଆରବ ଭାରତୀୟ ଆମ୍ବର ପ୍ରମୁଖ ରପ୍ତାନି ଗନ୍ତବ୍ୟସ୍ଥଳ ଭାବେ ରହିଛନ୍ତି।