ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଏବଂ ସରକାରୀ ମେଡିକାଲ କଲେଜଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଅନୁସାରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ମୋଟ ୭୫୫ଟି ନୂତନ ପଦବି ମଞ୍ଜୁର କରାଯାଇଛି।

ମଞ୍ଜୁର ହୋଇଥିବା ପଦବିଗୁଡ଼ିକ ମଧ୍ୟରେ ଶିକ୍ଷାଦାନ ଓ ଚିକିତ୍ସାସେବା ସହ ସଂପୃକ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ରହିଛି। ସେଥିରେ ୭ଟି ପ୍ରଫେସର, ୩୫ଟି ଆସୋସିଏଟ ପ୍ରଫେସର, ୫୦ଟି ଆସିଷ୍ଟାଣ୍ଟ ପ୍ରଫେସର, ୨୯ଟି ଟ୍ୟୁଟର, ୨୪୮ଟି ସିନିୟର ରେସିଡେଣ୍ଟ, ୧୯୦ଟି ଜୁନିୟର ରେସିଡେଣ୍ଟ (ଏମ୍‌ବିବିଏସ୍‌), ୧୧୨ଟି କାଜୁଆଲଟି ମେଡିକାଲ ଅଫିସର (ସିଏମ୍‌ଓ) ଏବଂ ୮୪ଟି ବ୍ଲଡ୍‌ ବ୍ୟାଙ୍କ ଅଫିସର (ବିବିଓ) ପଦ ଅନ୍ତର୍ଭୁକ୍ତ ଅଛି।

ଏହି ପଦକ୍ଷେପ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ Mukesh Mahaling କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ Mohan Charan Majhiଙ୍କ ନେତୃତ୍ୱରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ଲକ୍ଷ୍ୟ ହେଉଛି ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ସହ ଚିକିତ୍ସା ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା।

ସରକାରଙ୍କ ତଥ୍ୟ ଅନୁସାରେ, ସମ୍ପ୍ରତି ରାଜ୍ୟର ତିନିଟି ନୂତନ ମେଡିକାଲ କଲେଜରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ ବୃଦ୍ଧି ହୋଇଥିବାବେଳେ ପିଜି ସିଟ୍‌ ସଂଖ୍ୟା ମଧ୍ୟ ୬୮ ପର୍ଯ୍ୟନ୍ତ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ ଚିକିତ୍ସା କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବା ଆବଶ୍ୟକ ହୋଇପଡ଼ିଥିଲା।

ସରକାରଙ୍କ ଆଶା ଯେ, ଏହି ନୂତନ ପଦବି ମଞ୍ଜୁର ହେବା ଫଳରେ ମେଡିକାଲ କଲେଜଗୁଡ଼ିକରେ ମାନବ ସମ୍ବଳ ବୃଦ୍ଧି ପାଇବ ଏବଂ ରୋଗୀମାନେ ଅଧିକ ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ପାଇପାରିବେ।