ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ‘ରଜ’ ଏଥର ବର୍ଷାରେ ଭିଜିବାକୁ ଯାଉଛି। ରାଜ୍ୟବାସୀ ରଜ ଦୋଳି ଓ ପିଠାପଣାର ମଜା ନେଉଥିବା ବେଳେ ପ୍ରାକ୍-ମୌସୁମୀ ବର୍ଷା ଏହି ଆନନ୍ଦକୁ ଦ୍ୱିଗୁଣିତ କରିପାରେ। ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାକ୍-ମୌସୁମୀ ବର୍ଷା ସହ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି। ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ମୌସୁମୀ ଆଗକୁ ବଢ଼ିବା ସହିତ ପାର୍ବଣ ସମୟରେ ବର୍ଷାର ପ୍ରକୋପ ଆହୁରି ବୃଦ୍ଧି ପାଇବ।ଆଜି ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ‘ୟେଲୋ ୱାର୍ଣ୍ଣିଂ’ଜାରି କରାଯାଇଛି। ଏହି ସମୟରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ମୌସୁମୀ ଆସିବା ପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ, ଯାହା ଫଳରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ବଡ଼ ଆଶ୍ୱସ୍ତି ମିଳିବ। ପାଣିପାଗରେ ହେବାକୁ ଥିବା ଏହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି।ବର୍ଷା ଓ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି। ପ୍ରବଳ ପବନ ଓ ବଜ୍ରପାତର ଆଶଙ୍କା ଥିବାରୁ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।