ମୟୂରଭଞ୍ଜ: ସୁଳିଆପଦା ଥାନା ଅନ୍ତର୍ଗତ ନାଉପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପାଷାଣ୍ଡ ଜ୍ୱାଇଁ ତାଙ୍କ ଶ୍ୱଶୁର ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଶ୍ୱଶୁର ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ରଘୁନାଥପୁର ଅଞ୍ଚଳର ସିକନ୍ଦର ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବ୍ଲାକମେଲ୍ କରୁଥିଲେ। ଅତ୍ୟାଚାର ସହି ନପାରି ପତ୍ନୀ ନିଜ ବାପା ଘରକୁ ପଳାଇ ଆସିଥିଲେ। ସ୍ଥାନୀୟ ଭଦ୍ରଲୋକଙ୍କ ଜରିଆରେ ବିବାଦର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସିକନ୍ଦରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇନଥିଲା।

ମଙ୍ଗଳବାର ଭୋର ପ୍ରାୟ ୨:୩୦ ସମୟରେ, ଯେତେବେଳେ ପରିବାର ଲୋକେ ଶୋଇଥିଲେ, ସିକନ୍ଦର ବାହାରୁ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇଥିଲେ। ସ୍ୱାମୀଙ୍କୁ ବଞ୍ଚାଇବା ଏବଂ ପିଲାମାନଙ୍କୁ ସୁରକ୍ଷିତ ବାହାର କରିବାକୁ ଚେଷ୍ଟା କରି ସିକନ୍ଦରଙ୍କ ଶାଶୁ ସୋହାନା ବିବି ମଧ୍ୟ ଆହତ ହୋଇଛନ୍ତି। ସୋହାନାଙ୍କ କହିବାନୁସାରେ, ସିକନ୍ଦରଙ୍କର ଏହା ଦ୍ୱିତୀୟ ପ୍ରୟାସ ଥିଲା, ଏହା ପୂର୍ବରୁ ସେ ଘର ବାହାରେ ଥିବା ପୋଷାକରେ ନିଆଁ ଲଗାଇଥିଲେ।

ଘଟଣା ପରେ ଅଭିଯୁକ୍ତ ସିକନ୍ଦର ଫେରାର ଅଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସ୍ଥାନୀୟ ଲୋକଙ୍କୁ ଅଭିଯୁକ୍ତକୁ କାବୁ କରିବାକୁ କହିଥିଲା। ପୋଲିସର ଏଭଳି ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।