ନୂଆଦିଲ୍ଲୀ: ଓମାନ ଉପକୂଳରେ ଏକ ଭାରତୀୟ ବାଣିଜ୍ୟିକ ଜାହାଜ ‘ସେଟ୍ଟେବେଲ୍ଲୋ’ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକାଶ କରିବା ସହ କଡ଼ା ନିନ୍ଦା କରିଛି। ଘଟଣାରେ ଜାହାଜରେ ଥିବା ୨୪ ଜଣ ଭାରତୀୟଙ୍କ ମଧ୍ୟରୁ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୩ ଜଣ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି।
ବିଦେଶ ବ୍ୟାପାର ମନ୍ତ୍ରାଳୟ (MEA) ମୁଖପାତ୍ର ରଣଧୀର ଜୈସ୍ୱାଲ ସୂଚନା ଦେଇ କହିଛନ୍ତି ଯେ, ନିଖୋଜ ଭାରତୀୟମାନଙ୍କୁ ଖୋଜିବା ଏବଂ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଓମାନରେ ଥିବା ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ଲଗାତାର ନଜର ରଖିଛି ଏବଂ ଓମାନ କର୍ତ୍ତୃପକ୍ଷଙ୍କ ସହ ସକ୍ରିୟ ସମନ୍ୱୟ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ଏହି ଘଟଣାକୁ ନେଇ ଭାରତ ଅଞ୍ଚଳରେ ବାରମ୍ବାର ବାଣିଜ୍ୟିକ ଜାହାଜ ଉପରେ ହେଉଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ସରକାର କହିଛନ୍ତି ଯେ, ଏପରି ଘଟଣା ଆନ୍ତର୍ଜାତୀୟ ବାଣିଜ୍ୟ ଓ ସମୁଦ୍ର ସୁରକ୍ଷା ପାଇଁ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରୁଛି।
ଭାରତ ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ, ଅଞ୍ଚଳରେ ବଢୁଥିବା ସଂଘର୍ଷ ଓ ଉତ୍ତେଜନାକୁ କୂଟନୈତିକ ଉପାୟରେ ତୁରନ୍ତ ହ୍ରାସ କରାଯାଉ ଏବଂ ବାଣିଜ୍ୟିକ ଜାହାଜ ଓ ବେସାମରିକ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ ବନ୍ଦ କରାଯାଉ।
ଭାରତ ସ୍ପଷ୍ଟ କରିଛି ଯେ, ନିଖୋଜ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଖୋଜିବା ସରକାରଙ୍କ ପ୍ରାଥମିକତା ରହିଛି।




